ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ ): ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ସୋମବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ପବିତ୍ର କାର୍ତ୍ତିକ ମାସ ତୃତୀୟ ସୋମବାର ମଧ୍ୟ ଫିକା ପଡିଛି । ସହର ମଧ୍ୟରେ ଥିବା ବିଭିନ୍ନ ଶୈବ ପୀଠ ଗୁଡିକ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି । ପ୍ରଥମ ଓ ଦ୍ୱିତୀୟ ସୋମବାରରେ ମଧ୍ୟ ବର୍ଷା ଯୋଗୁ ଭକ୍ତଙ୍କ ସଂଖ୍ୟା କମିଥିଲା । ଏହି ବର୍ଷା କାରଣରୁ ଶୈବ ପୀଠରେ ଭୋଗ କରିବାକୁ ମାନସିକ ରଖିଥିବା ଭକ୍ତମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ପୂର୍ବାହ୍ନରେ ପ୍ରବଳ ବିଜୁଳି ସହ ଘଡଘଡି ମାରିଥିଲା । ସନ୍ଧ୍ୟାରେ ପବନର ବେଗ ମଧ୍ୟ ଆସ୍ତେ ଆସ୍ତେ ବଢୁଥିବା ପରିଲିକ୍ଷିତ ହୋଇଛି । ଅନ୍ୟପଟେ ଏହି ବର୍ଷା ଯୋଗୁ ସମୁଦ୍ର କୁଳ ନିକଟ ବର୍ତ୍ତୀ ଅଞ୍ଚଳ ଲୋକେ ଭୟଭୀତ ଥିବା ଜଣାପଡିଛି ।ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ଲାଗି ସମସ୍ତ ପ୍ରସ୍ତୁତ ଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ସହିତ ବିଡିଓ ଅଚ୍ୟୁତାନନ୍ଦ ଯାନୀ ଓ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପ୍ରମୁଖ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ବୁଲି ଅନୁଧ୍ୟାନ କରିଛନ୍ତି।
ସେପଟେ, ବାତ୍ୟାକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇ କହିଛନ୍ତି, ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଯିବ। ଦକ୍ଷିଣ ଓଡ଼ିଶା ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ଏହାର ପ୍ରଭାବ ପଡ଼ିବ। ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କି.ମି. ପବନ’ ବହିବ।୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ।
\