ଭୁବନେଶ୍ୱର, ୮ା୭(ଅନୁରାଧା ମହାରଣା) – ରାଜ୍ୟରେ ଗତ କିଛିଦିନ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଥିବାବେଳେ ବୁଧବାରଠାରୁ କମିବ। କିଛି ଜିଲାକୁ ବାଦ୍ ଦେଲେ ପ୍ରାୟ ଅଧିକାଂଶ ଜିଲାରେ ପାଗରେ ସୁଧାର ଆସିବ। ତେବେ ୧୪ ତାରିଖରୁ ପୁଣି ବର୍ଷାର ବିସ୍ତୃତି ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହ ବଜ୍ରପାତ ନେଇ କେତେକ ଜିଲାକୁ ସତର୍କ କରାଯାଇଛି। ବୁଧବାର ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
ସେହିପରି କେନ୍ଦୁଝର, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଏବଂ ବୌଦ୍ଧ ଆଦି ଜିଲାରେ ବଜ୍ରପାତ ସହ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅନ୍ୟପଟେ ବଜ୍ରପାତ ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍ସିଂହପୁରକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।