ଭୁବନେଶ୍ୱର,୬।୩(ବନ୍ଦନା ସେଠୀ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବୃଦ୍ଧି ପାଇବା ସହିତ ସକାଳେ କୁହୁଡ଼ି ଓ ଦିନରେ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଗୁରୁବାର ପାରଦ ୩୯ ଡିଗ୍ରୀ ଟପିଥିଲା। ଝାରସୁଗୁଡାଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଥିଲା। ଏହାତଳକୁ ଟିଟିଲାଗଡ଼ରେ ୩୭.୫ ଡିଗ୍ରୀ, ପାରଳାଖେମୁଣ୍ଡି ୩୭.୨ ଡିଗ୍ରୀ, ଗୋପାଳପୁର ୩୭.୧ ଡିଗ୍ରୀ, ଢେଙ୍କାନାଳ ୩୭ ଡିଗ୍ରୀ, ଅନୁଗୋଳ ୩୬.୯ ଡିଗ୍ରୀ, ହୀରାକୁଦ ୩୬.୮ ଡିଗ୍ରୀ, ବଲାଙ୍ଗୀର ୩୬.୭ ଡିଗ୍ରୀ, ସମ୍ବଲପୁର ୩୬.୬ ଡିଗ୍ରୀ, ଭବାନୀପାଟଣା ୩୬.୫ ଡିଗ୍ରୀ, ଭୁବନେଶ୍ୱର ୩୬.୪ ଡିଗ୍ରୀ, ତାଳଚେର ୩୬.୪ ଡିଗ୍ରୀ, ବରଗଡ଼ ୩୬.୨ ଡିଗ୍ରୀ, ନୂଆପଡା ୩୬ ଡିଗ୍ରୀ, ସୁନ୍ଦରଗଡ ୩୬ ଡିଗ୍ରୀ, ନବରଙ୍ଗପୁର ୩୬ ଡିଗ୍ରୀ ଏବଂ ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ରହିଥିଲା।
ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୮ ତାରିଖ ରବିବାର ବେଳକୁ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁରରେ ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ ୩୦ରୁ ୪୦ କି.ମି. ପର୍ଯ୍ୟନ୍ତ ଝଟ୍କା ପବନ ବହିବା ନେଇ ପୂର୍ବାନୁମାନ କରାଯାଉଥିବାରୁ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲାଗୁଡିକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ୯ ତାରିଖରେ ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏପଟେ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ ଏବଂ ଖୋର୍ଦ୍ଧା ଜିଲାରେ ଶୁକ୍ରବାର ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କ ସୂଚନା ଜାରି କରାଯାଇଛି।