କାଳ ସାଜିଲା ଅଦିନିଆଁ ବର୍ଷା: କ୍ଷେତ, ମଣ୍ଡି ସବୁଠି ଧାନ ଗଜା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ମେ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆଁ ବର୍ଷା ଚାଷୀଙ୍କ ଆର୍ଥିକ, ମାନସିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କ୍ଷେତ, ଖଳାରେ ରହିଥିବା ଧାନ କେବଳ ବର୍ଷାପାଣିରେ ଓଦା ହୋଇଛି, ତାହା ନୁହେଁ। କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ସବୁଠି ଧାନ ଗଜା ହେଲାଣି। ଏପରିକି କେତେକାଂଶରେ ଧାନରୁ ଗଛ ବାହାରିବା ମଧ୍ୟ ପରିଲକ୍ଷିତ ହୋଇଛି। ରବିଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଅଦିନିଆଁ ବର୍ଷା ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ ଏଭଳି ଉଜାଡ଼ି ଦେଇଛି। ଅନ୍ୟପଟେ ଇନପୁଟ୍‌ ସବସିଡ଼ି କିମ୍ବା ବୀମା କ୍ଷତିପୂରଣ ସହାୟତା ମିଳିବା ନେଇ ଚାଷୀମାନେ ମନରେ ଆଶା ବାନ୍ଧିଛନ୍ତି। ଏହି ଆଶା ନେଇ ଜିଲାର ବିଭିନ୍ନ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀ ନମୁନା ସ୍ବରୂପ କ୍ଷତିଗ୍ରସ୍ତ ଧାନ ଧରି ନିୟମିତ ଜିଲାପାଳଙ୍କୁ ଫେରାଦ ହେଉଥିବା ଦେଖିବାକୁ ମିଳିଛି। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ନୀରବତା ସମସ୍ତଙ୍କୁ ଚକିତ କରି ପକାଇଛି।

୧୨ ବ୍ଲକ ବିଶିଷ୍ଟ ବରଗଡ଼ ଜିଲାରେ ମେ ମାସର ସ୍ବାଭାବିକ ବୃଷ୍ଟିପାତ ସାଧାରଣତଃ ୨୭.୧ମି.ମି ରହିଥାଏ। କିନ୍ତୁ ଗତମାସ ଜିଲାରେ ହାରାହାରି ୧୨୨.୫ ମି.ମି ଅର୍ଥାତ୍‌ ସମୁଦାୟ ୧୪୬୮ ମି.ମି ବୃଷ୍ଟିପାତ ରେକର୍ଡ଼ ହୋଇଛି। ତେବେ ଗତମାସ ୨୬ତାରିଖରୁ ୩୧ତାରିଖ ଯାଏ ଅଧିକ ବୃଷ୍ଟିପାତ ହୋଇଛି। ୨୬ତାରିଖ ୧୩୨.୨, ୨୭ତାରିଖ ୩୦, ୨୮ତାରିଖ ୧୭୯, ୨୯ତାରିଖ ୫୮.୧, ୩୦ତାରିଖ ୧୪୦.୫ ଏବଂ ୩୧ତାରିଖ ସର୍ବାଧିକ ୫୦୯.୨ ମି.ମି ବୃଷ୍ଟିପାତ ରେକର୍ଡ଼ ହୋଇଛି। ଦୀର୍ଘ ୬ଦିନ ଧରି ଏଭଳି ବର୍ଷା ଲାଗି ରହିଥିଲା। ଏହାର ପ୍ରଭାବରେ ଧାନ ଅମଳ, ସଂଗ୍ରହ ପ୍ରକ୍ରିୟା ତ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ଚାଷୀଙ୍କ କଷ୍ଟୋପାର୍ଜିତ ଧାନ ବିକ୍ରି ହେବା ପୂର୍ବରୁ କ୍ଷେତ, ଖଳା ଏବଂ ମଣ୍ଡିରେ ଗଜା ହେବା ଘଟଣାରୁ ଚାଷୀମାନଙ୍କ କିଭିଳି କ୍ଷତି ହୋଇଥିବ, ତାହା ସହଜରେ ଅନୁମେୟ।

ଜିଲାର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଚାଷୀଙ୍କ କ୍ଷେତ, ଖଳାରେ ଏଭଳି ସମସ୍ୟା ଦେଖାଯାଇଛି। ଧାନ ସଂଗ୍ରହ ପ୍ରକ୍ରିୟା ବାବଦକୁ ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) କୋଟିକୋଟି ଟଙ୍କା ଅସୁଲି କରୁଛନ୍ତି। କିନ୍ତୁ ଧାନମଣ୍ଡି ଭିତ୍ତିଭୂମି ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଆଖିବୁଜି ଦେଇଛନ୍ତି। ଫଳରେ ବର୍ଷା ହେଲେ ମଣ୍ଡିରେ ମଧ୍ୟ ଧାନ ସୁରକ୍ଷିତ ରହୁ ନାହିଁ ଏବଂ ଗଜା ହେଉଥିବା ପରିଲକ୍ଷିତ ହୋଇଛି। ବରଗଡ଼ ଆର୍‌ଏମ୍‌ସି ଅନ୍ତର୍ଗତ କଲାପାଣି ମଣ୍ଡିରେ ଏହା ଦେଖାଯାଇଛି। ଏହି ମଣ୍ଡିକୁ ବିକ୍ରି ପାଇଁ ଆଣିଥିବା ୨ଜଣ ଚାଷୀଙ୍କ ପ୍ରାୟ ୧୦୦ବସ୍ତା ଧାନ ବର୍ଷାରେ ଭିଜି ଯାଇଥିଲା। ପରେ ସେହି ଧାନରୁ ଗଜା ହେବା ସହିତ ଗଛ ବାହାରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ତେବେ ସେହି ଧାନକୁ ଛାଡ଼ି ସମ୍ପୃକ୍ତ ଚାଷୀଙ୍କ ବାକିଧାନକୁ କିଣାଯାଇ ଥିବାବେଳେ ପ୍ରଭାବିତ ଧାନକୁ ଚାଷୀମାନେ ପୁଣି ଶୁଖାଇଛନ୍ତି। କେବଳ କଲାପାଣି ମଣ୍ଡି ନୁହେଁ, ଜିଲାର ଅନେକ ସ୍ଥାନରେ ଖୋଲାମଣ୍ଡି ରହିଛି। ସେଠାରେ ମଧ୍ୟ ଚାଷୀମାନଙ୍କ ସମସ୍ୟା ଏଭଳି ରହିଛି। ଏହି ଦୃଷ୍ଟିରୁ ମଣ୍ଡିର ଭିତ୍ତିଭୂମିକୁ ସୁଦୃଢ଼ କରା ନଗଲେ ଆଗାମୀ ଦିନରେ ମଧ୍ୟ ଚାଷୀମାନେ ମଣ୍ଡିକୁ ଧାନ ଆଣିଥିଲେ ସୁଦ୍ଧା ସେମାନଙ୍କୁ ଏଭଳି କ୍ଷତି ସହିବାକୁ ପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।