ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ। ଏହା ଦ୍ୱାରା ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ରେଳ ଷ୍ଟେସନରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ।
ଗତ ୧୩ ଫେବୃଆରୀ ୨୦୨୬ରେ ରେଳ ବୋର୍ଡ ନିର୍ଦ୍ଦେଶକଙ୍କ ପକ୍ଷରୁ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କୁ ଲିଖିତ ଭାବେ ଏହି ସୂଚନା ଦିଆଯାଇଛି। ଏହି ପୁନଃ ବିକାଶ ପ୍ରକଳ୍ପଟି ‘ପ୍ଲାନ୍ ହେଡ୍-୫୩ (CAP)’ ଅଧୀନରେ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ଷ୍ଟେସନର ପ୍ରବେଶ ପଥ, ସର୍କୁଲେଟିଂ ଏରିଆ ଏବଂ ଯାତ୍ରୀ ପ୍ରତୀକ୍ଷାଳୟର ସମ୍ପ୍ରସାରଣ କରାଯିବ।
କେନ୍ଦ୍ର ସରକାର ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ କ୍ରମାଗତ ଭାବେ ଗୁରୁତ୍ୱ ଦେଇ ଆସୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳ ବିକାଶ ପାଇଁ ୧୦,୯୨୮ କୋଟି ଟଙ୍କାର ରେକର୍ଡ ଅନୁଦାନ ମିଳିଛି। ୨୦୨୫ର ରିପୋର୍ଟ ଅନୁଯାୟୀ, ରାଜ୍ୟର ୫୯ଟି ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି, ଯେଉଁଥିପାଇଁ ମୋଟ ୨,୩୭୯ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।
ବ୍ରହ୍ମପୁର ରେଳ ଷ୍ଟେସନର ଏହି ନୂତନ ପ୍ରକଳ୍ପ ଦ୍ୱାରା ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ମିଳିବା ସହ ଅଞ୍ଚଳର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।