ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ଟଙ୍କାର ରେକର୍ଡ ବ୍ୟୟବରାଦ କରାଯାଇଛି। ରାଜ୍ୟ ସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
୧୩ ଗୁଣା ବୃଦ୍ଧି: ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ବାର୍ଷିକ ବ୍ୟୟବରାଦ ମାତ୍ର ୮୩୮ କୋଟି ଟଙ୍କା ଥିବାବେଳେ, ଏବେ ଏହା ପ୍ରାୟ ୧୩ ଗୁଣା ବୃଦ୍ଧି ପାଇଛି। ୧ ଏପ୍ରିଲ ୨୦୨୫ ସୁଦ୍ଧା ରାଜ୍ୟରେ ୧୯ଟି ନୂଆ ରେଳ ଲାଇନ ଏବଂ ୩୦ଟି ଦୋହରୀକରଣ କାର୍ଯ୍ୟକୁ ମଞ୍ଜୁରୀ ମିଳିଛି।
ସେହିପରି ରାଜ୍ୟର ଅତି ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧାରୋଡ-ବଲାଙ୍ଗିର ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୫୦୮୯ କୋଟି ଟଙ୍କା ରହିଛି। ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ଅତିରିକ୍ତ ୧୯୩୮ କୋଟି ଟଙ୍କାବ୍ୟୟବରାଦ କରାଯାଇଛି।
ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୭୮,୦୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିସହିତ ୫୯ଟି ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ଚାଲିଛି। ରେଳ ସୁରକ୍ଷା ପାଇଁ ‘କବଚ’ (Kavach) ଟେକ୍ନୋଲୋଜିର ବ୍ୟବହାର ଉପରେ ଜୋର ଦିଆଯାଉଛି। ରାଜ୍ୟର ୧୦୦% ରେଳ ଲାଇନର ବୈଦ୍ୟୁତିକରଣ କାର୍ଯ୍ୟ ଶେଷ ହୋଇଛି।
ଚଳିତ ଆର୍ଥିକ ବର୍ଷରେ ୪୩,୨୩୦ ନିଯୁକ୍ତି ଦେଇଛି ଭାରତୀୟ ରେଲୱେ। ଟେକ୍ନିସିଆନ, JE, ପାରାମେଡିକାଲ, SI, କନଷ୍ଟେବଲ ବର୍ଗରେ ନିଯୁକ୍ତି -ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଖାଲି ପଦବୀ ପାଇଁ ୧୫,୮୭୩ ତାଲିକାଭୁକ୍ତ।୨୦୨୬ ମସିହାରେ ୧୧,୧୨୭ଟି ନୂତନ ALP ପଦବୀ ଖାଲି ଘୋଷଣା।