ବ୍ରହ୍ମପୁର,(ସୁବାସ ଚନ୍ଦ୍ର ପାଢ଼ୀ)/ଭୁବନେଶ୍ୱର,୧୭ା୧(ସତ୍ୟଜିତ ରାଉତ): ଗଞ୍ଜାମ ଜିଲାର ବିଜେଡି ନେତାଙ୍କ ସମେତ ବହୁ ଠିକାଦାର ଓ ବାଲି ବ୍ୟବସାୟୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ବଡ଼ଧରଣର ଏକାକାଳୀନ ଚଢ଼ାଉ କରାଯାଇଛି। ଏହି ସମୟରେ ଜଣେ ବ୍ୟବସାୟୀଙ୍କ ଘରୁ ଆଲମିରା ଭର୍ତ୍ତି ଟଙ୍କା ଜବତ ହୋଇଛି, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି। ଟିକସ ଫାଙ୍କି ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ଇଡି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ରହ୍ମପୁର ସହର ସମେତ କନିଶି, ଶେରଗଡ଼ ଓ ଆସିକା ଅଞ୍ଚଳରେ ଇଡି ଅଧିକାରୀମାନେ ଚଢ଼ାଉ କରି ବହୁ କାଗଜପତ୍ର ଜବତ କରିଛିନ୍ତି। ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ର ବିଜେଡି ନେତା ତଥା ଠିକାଦର ହୃଷୀକେଶ ପାଢ଼ୀ ଓ ତାଙ୍କ ପୁଅ ସଚିନ ପାଢ଼ୀଙ୍କ ଘର, ଆସିକାର ବାଲି ବ୍ୟବସାୟୀ ଭଗବାନ୍ ସାହୁ, ବ୍ରହ୍ମପୁର କନିଶିର ସୁନୀଲ ପାତ୍ର, ଶୁୁଭାଶିଷ ସାହୁ ଓରଫ ବଣ୍ଟି, ଲାଞ୍ଜିପଲ୍ଲୀ ଉମନଗର ଅଞ୍ଚଳର ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଘରେ ଚଢ଼ାଉ କରାଯାଉଛି। ସେହିପରି ଏହି କ୍ରାଇମ୍ ସିଣ୍ଡିକେଟ୍ ଲିଙ୍କ୍ରେ ବ୍ରହ୍ମପୁରସ୍ଥିତ ସନ୍ତୋଷ ଦଳେଇଙ୍କ ଘରେ ମଧ୍ୟ ଯାଞ୍ଚ କରାଯାଇଛି। ତେବେ ଶେରଗଡ଼ର ହୃଷୀକେଶ ଓ ତାଙ୍କ ପୁଅ ସଚିନ ଠିକାଦର ହୋଇଥିବା ବେଳେ ଅନ୍ୟମାନେ ବାଲି ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି। ଆଲମିରା ଭର୍ତ୍ତି ଟଙ୍କା ଜବତ ହୋଇଥିବା ଘର କାହାର ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା ଏମାନଙ୍କ ସହଯୋଗୀଙ୍କ ଘର ବୋଲି ସୂଚନା ମିଳିଛି। ଏହି ଟଙ୍କା ୫୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ସହଯୋଗୀ ଜଣକ ବଡ଼ ବାଲି ବ୍ୟବସାୟୀ ହୋଇ ନ ଥିବା ବେଳେ ତାଙ୍କଘରୁ ଏତେ ପରିମାଣର ଟଙ୍କା ଜବତ ହେବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ବିଶ୍ୱାସ କରିପାରୁନାହାନ୍ତି। ଏହି ସିଣ୍ଡିକେଟରେ ଥିବା ବହୁ ବଡ଼ ବ୍ୟବସାୟୀମାନେ ସନ୍ତୋଷଙ୍କ ଘରେ କିଛିଦିନ ହେବ ଏହି ଟଙ୍କା ଗଚ୍ଛିତ କରି ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ଜବତ ଟଙ୍କାକୁ ବ୍ୟାଙ୍କ ଅଧିକାରୀମାନେ ନେଇ ଗଣତି ଆରମ୍ଭ କରିଛନ୍ତି। ତେବେ ଚଢ଼ାଉ କରାଯାଇଥିବା ବାଲି ବ୍ୟବସାୟୀଙ୍କ ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ ଓ ଯାଞ୍ଚ କରାଯାଉଥିବା ଜଣାପଡିଛି। ଏମାନେ ବେନାମୀ ଲୋକଙ୍କ ନଁାରେ ବାଲିଘାଟ ଟେଣ୍ଡର ନେଇ ବ୍ୟବସାୟ କରୁଥିବା ଅଭିଯୋଗ ରହିଛି। ଏପରିକି ସେମାନେ ଦୀର୍ଘଦିନ ହେବ ବେଆଇନ ଭାବେ ବାଲି ଖନନ କରି ବିପୁଳ ଟଙ୍କା ରୋଜଗାର କରିଥିବା ବେଳେ ଟିକସ ମଧ୍ୟ ପୈଠ କରୁ ନ ଥିଲେ। କିଛିଦିନ ହେବ ଇଡି ପକ୍ଷରୁ ସେମାନଙ୍କ ଉପରେ କଡା ନଜର ରଖାଯାଇଥିଲା। ପରେ ସର୍ଚ୍ଚ ୱାରେଣ୍ଟ ସହ ଇଡି ପକ୍ଷରୁ ଏହି ବଡ଼ ଧରଣର ରେଡ୍ କରାଯାଉଛି।
ଏନେଇ ଇଡି ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ କୁହାଯାଇଛି, ବେଆଇନ ଓ ଅନଧିକୃତ ଭାବେ ବାଲି ଓ କଳା ପଥର ଖନନ ଏବଂ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଏହି ଚଢ଼ାଉ କରାଯାଉଛି। ବ୍ୟବସାୟୀମାନେ ଅପରାଧୀ ଶ୍ରେଣୀୟ ହୋଇଥିବାବେଳେ ବାହୁବଳ ଜରିଆରେ ଜବରଦଖଲ କରି ବେଆଇନ ଭାବେ ଲଘୁ ଖଣିଜ ଖନନ କରିବା ସହ ସ୍ଥାନୀୟ ଲୋକଙ୍କୁ ଶୋଷଣ ଓ ଭୟଭୀତ କରି ରଖୁଛନ୍ତି। ସେମାନେ ଜାଲ କାଗଜପତ୍ର ଜରିଆରେ ଏହି କାରବାର କରିଆସୁଛନ୍ତି। ଏହାଦ୍ୱାରା ରାଜସ୍ବ ହାନି ଘଟିଛି। ଜବତ ହୋଇଥିବା ଟଙ୍କାର ନିର୍ଦ୍ଦିଷ୍ଟ ପରିମାଣ ଓ ଅନ୍ୟାନ୍ୟ ବିବରଣୀ ବିଷୟରେ ଆଗକୁ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି।