କଳାବଜାର ରୋକିବାକୁ ଗୋଦାମରେ ଚଢ଼ାଉ

ବାଲେଶ୍ୱର ଅଫିସ, ୮।୫: ବାଲେଶ୍ୱର ଜିଲାରେ ବାତ୍ୟା ଆଶଙ୍କାକୁ ନେଇ ଖାଦ୍ୟ ସାମଗ୍ରୀରେ କଳାବଜାରି ଆରମ୍ଭ ହୋଇଛି। ଶନିବାର ଜିଲା ଯୋଗାଣ ବିଭାଗ ପକ୍ଷରୁ ସହରର ନୂଆବଜାର, ଫାଣ୍ଡି ଛକ, ମୋତିଗଞ୍ଜ ସମେତ ବହୁ ଆଳୁ ଗୋଦାମ ଉପରେ ଚଢ଼ାଉ କରାଯାଇଛି। ସହର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ବେଳେ ଦରଦାମ୍‌ ନିୟନ୍ତ୍ରଣ ନେଇ ବ୍ୟବସାୟୀମାନଙ୍କୁ ତାଗିଦ୍‌ କରାଯାଇଛି। ତେବେ ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ କେତେଜଣ ଅସାଧୁ ବ୍ୟବସାୟୀ ଅଧିକ ପରିମାଣର ସାମଗ୍ରୀ ଠୁଳ କରିବା ଓ ଦର ବୃଦ୍ଧି କରିବା ଆଶଙ୍କା କରି ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଶୁକ୍ରବାର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାଲେଶ୍ୱର ଗସ୍ତରେ ଆସି କଳାବଜାରୀ ରୋକିବା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ବିଭିନ୍ନ ଆଳୁ ଗୋଦାମରେ ଚଢ଼ାଉ କରାଯାଇ ଆଳୁ ପିଆଜର ଠିକ୍‌ ଦର୍‌ଦାମ ବୋର୍ଡ଼ରେ ଉଲ୍ଲେଖ କରିବା ସହ ଗୋଦାମ ମାଲିକମାନେ ଖୁଚୁରା ଦୋକାନୀଙ୍କୁ ବିଲ୍‌ ଦେବା ପାଇଁ ଜିଲା ଯୋଗାଣ ବିଭାଗ ଅଧିକାରୀମାନେ ତାଗିଦ୍‌ କରିଥିଲେ ।