ଛତ୍ରପୁର, ୨୧।୧୦ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ସମଗ୍ର ଜିଲା ଉତ୍ସବମୁଖର ହୋଇଥିବା ବେଳେ ଗଞ୍ଜାମ ଜିଲାରେ ବେଆଇନ ଜୁଆ କାରବାର ବିରୋଧରେ ପୋଲିସର ଚଢ଼ାଉ ଜାରି ରହିଛି। ଗତ ୨୦ ତାରିଖରେ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୦ଟି ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି. ସୂଚନା ଦେଇଛନ୍ତି।
ଏହି ଚଢ଼ାଉରେ ମୋଟ ୬୧ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ମୋଟ ୨ ଲକ୍ଷ ୧୯ ହଜାର ୪୮୦ ଟଙ୍କା ଜବତ କରାଯାଇଛି। ଏଥିସହ ଜୁଆ ଆଡ୍ଡାଗୁଡ଼ିକରୁ ବିପୁଳ ପରିମାଣର ତାସ୍ ପତ୍ତା ଓ ୫ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି।
ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଜିଲାରେ ବେଆଇନ କାର୍ଯ୍ୟକଳାପ ଓ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସର କଡ଼ା ଆଭିମୁଖ୍ୟ ଜାରି ରହିବ ବୋଲି ଏସ୍ପି କହିଛନ୍ତି।

