ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି।କଂଗ୍ରେସରେ ଗୋଷ୍ଠୀ କନ୍ଦଳକୁ ନେଇ ରାଗିଗଲେ ହାଇକମାଣ୍ଡ। PAC ବୈଠକରେ ଏକାଠି ରହିବା ଉପରେ ଖାଡଗେ, ରାହୁଲ ଗୁରୁମନ୍ତ୍ର ଦେଇଛନ୍ତି। ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଥିବା ଦିଲ୍ଲୀରେ ଶୁଣୁଛୁ ବୋଲି ଖାଡଗେ କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ନେତାମାନେ ଏକାଠି ହେବେନି ଦଳ ରିଭାଇଭ କରିପାରିବନି।
ଅନ୍ୟପକ୍ଷେ ରାହୁଲ କହିଛନ୍ତି, ମତ ଯାହା ଥାଉ ସମସ୍ତଙ୍କୁ ମିଶିକି କାମ କରିବାକ ପଡ଼ିବ। ଉପକୂଳ ଓଡ଼ିଶାକୁ ଫୋକସ କରିବାକୁ ରାହୁଲ ପରାମର୍ଶ ଦେଇଛନ୍ତି।
ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରଥଯାତ୍ରା ଅଘଟଣକୁ ନେଇ ସରକାର ଅଦାନୀ ଭଳି ଉଦ୍ୟୋଗପତିଙ୍କ ସ୍ୱାର୍ଥ ପାଇଁ କାମ କରୁଛନ୍ତି। ରାହୁଲ କହିଛନ୍ତି, “ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ସରକାର। ରଥଯାତ୍ରା ସମୟରେ ଅଦାନୀଙ୍କ ପାଇଁ ରଥକୁ ରୋକାଯାଉଛି।”
ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଥିବା ଅଭିଯୋଗ କରି ରାହୁଲ କହିଛନ୍ତି, “ଏମାନେ କୁଆଡ଼େ ଗଲେ, କେହି ଜାଣିନାହାନ୍ତି। ମହିଳାଙ୍କୁ ଦୁଷ୍କର୍ମର ଶିକାର ହେବାକୁ ପଡୁଛି, କିନ୍ତୁ ସରକାର ନୀରବ ରହିଛନ୍ତି।” ସେ ଆହୁରି କହିଛନ୍ତି ଯେ ସରକାର ଗରିବଙ୍କୁ ଲୁଟୁଛନ୍ତି ଏବଂ ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି।
ରାହୁଲ ଅଭିଯୋଗ କରିଛନ୍ତି ଯେ ବିହାର ଓ ମହାରାଷ୍ଟ୍ରରେ ନିର୍ବାଚନ ଚୋରି କରିବାର ଉଦ୍ୟମ ଚାଲିଛି। ସେ ପ୍ରଶ୍ନ ଉଠାଇଛନ୍ତି, “ମହାରାଷ୍ଟ୍ରରେ ୧ ଲକ୍ଷ ନୂଆ ଭୋଟର କେଉଁଠୁ ଆସିଲେ? ବିହାରରେ ମଧ୍ୟ ନିର୍ବାଚନ ଚୋରି କରାଯାଉଛି।”
ଆଦିବାସୀଙ୍କ ଅଧିକାର ଉପରେ ଗୁରୁତ୍ୱ ଦେଇ ରାହୁଲ କହିଛନ୍ତି, “ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି ଓ ରହିବ। କିନ୍ତୁ ଏଠାରେ ବିନା ପଚାରି ଆଦିବାସୀଙ୍କୁ ଜମିରୁ ହଟାଯାଉଛି। ପେସା ଆଇନ ଲାଗୁ ହେଉନାହିଁ, କିନ୍ତୁ ଆମେ ଏହାକୁ ଲାଗୁ କରିବୁ।”
ସେ ମୋଦିଙ୍କ ଫସଲ ବୀମା ଯୋଜନାକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, “ମୋଦି ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନାହିଁ।” ଓଡ଼ିଶାର ଜନତାଙ୍କ ପାଇଁ ବିକାଶ ହେବା ଉଚିତ ବୋଲି କହି ସେ ସରକାରଙ୍କୁ ଆକ୍ରମଣ କରିଛନ୍ତି।
କଂଗ୍ରେସ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ରାହୁଲ ସେମାନଙ୍କ ମୁଡ୍ ବିଷୟରେ ପ୍ରଶ୍ନ କରି ପ୍ରଶଂସା କରିଛନ୍ତି ଏବଂ ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ସବୁବେଳେ ସାଙ୍ଗରେ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।