ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା । ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି । ବାଲେଶ୍ଵର ଜିଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି ।
ରଘୁନାଥ ମହାନ୍ତି ଶେଷ ଥର ପାଇଁ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପୂର୍ବରୁ ୫ ଥର ବସ୍ତାରୁ ବିଧାୟକ ହୋଇଥିଲେ । ବିଜେଡିର ଜଣେ ଟାଣୁଆ ନେତା ଭାବରେ ପରିଚିତ ଥିଲେ । ହେଲେ ୨୦୧୯ରେ ବିଜେଡି ଛାଡି ଭାଜପାରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ପରାଜୟ ହୋଇଥିଲେ ।
ଅନ୍ୟପଟେ ଜୀବନ ପ୍ରଦୀପ ଦାସଙ୍କ ବିଷୟରେ କହିବାକୁ ଗଲେ ସେ ପୂର୍ବରୁ ବିଜେଡି ଟିକେଟରେ ବାଲେଶ୍ୱରରୁ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୪ରେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହେଁ ୨୦୧୯ରେ ସେ ପରାଜୟ ବରଣ କରିଥିଲେ । ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଉପନିର୍ବାଚନ ହୋଇଥିଲେ ହେଁ ଦଳ ତାଙ୍କୁ ଟିକେଟ ଦେଇନଥିଲା । ୨୦୨୦ ନଭେମ୍ବର ମାସରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ଏହାପରେ ସେ ଭାଜପାରେ ଯୋଗଦେଇଥିଲେ ହେଁ ପୁଣିଥରେ ଭାଜପାରୁ ଇସ୍ତଫା ଦେଇଥିଲେ । ଏବେ ପୁଣି ସେମାନେ ବିଜେଡିରେ ସାମିଲ୍ ହୋଇଛନ୍ତି ।