ଭୁବନେଶ୍ୱର,୨୫। ୧୧(ସୁଚିସ୍ମିତା ସାହୁ): ଧରିତ୍ରୀ ‘ୟୁଥ୍ କନ୍କ୍ଲେଭ-୨୦୨୫’ର ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାହଗିର ଭାବେ ପରିଚିତ ସୁନୀଲ କୁମାର ଗୁର୍ଜ୍ଜରୀ ସଙ୍ଗୀତ ପରିବେଷଣ କରିଥିଲେ। ସେ ସାଏରି ଓ ସଙ୍ଗୀତ ମାଧ୍ୟମରେ ପରିବେଶକୁ ସୁରକ୍ଷିତ ରଖିବା, ଗଛ ନ କାଟି ତା’ର ଯତ୍ନ ନେବା ପ୍ରଭୃତି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ନିଜ ଆଖପାଖ ପରିବେଶକୁ କିପରି ସୁରକ୍ଷିତ ରଖିହେବ, ସେ ନେଇ ସଚେତନ କରାଇଥିଲେ ରାହଗିର। ତାଙ୍କର ସଙ୍ଗୀତ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲା। ସେ ସଙ୍ଗୀତ ମଧ୍ୟରେ ସାଏରି କହି ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ‘ଭାଇ ରାହଗିର ୟେ ହମ୍’, ‘କୌନ୍ସି ଗାଡ଼ି ପେ ଚଢ଼ଗଏ..’, ‘ଆଦମୀ ଚୁତିୟା ହୈ..’, ‘ଓ ମେରି ପ୍ରେମିକା..’, ‘କ୍ୟା ଜୟପୁର କ୍ୟା ଦିଲ୍ଲୀ..’, ‘ଏକ କଚ୍ଛା ଘଡ଼ା..’ ଏବଂ ‘ରାହଗିର..’ ଭଳି ଅନେକ ପରିବେଶ ସଚେତନତା ବାର୍ତ୍ତାଭିତ୍ତିକ ସଙ୍ଗୀତ ପରିବେଷଣ କରିଥିଲେ, ଯାହା ସମସ୍ତଙ୍କୁ ବିମୋହିତ କରିଥିଲା। ତାଙ୍କ ସ୍ବରର ଯାଦୁରେ ଦର୍ଶକମାନେ ଖୁସିରେ ଝୁମିଥିଲେ। ଶେଷରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଓ ସମ୍ପାଦକ ତଥାଗତ ସତପଥୀ ରାହଗିରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।