ଆଜିଠାରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’

ଭୁବନେଶ୍ୱର,୯ା୮(ସୁଚିସ୍ମିତା ସାହୁ):ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’ର ସପ୍ତମ ସଂସ୍କରଣ ଶନିବାର ଆୟୋଜନ ହେବ। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ହେବାକୁ ଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ୍‌ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। କୁଇଜିଂକୁ ପୁନର୍ଜୀବିତ କରିବା ପାଇଁ ୧୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ତା’ର ଲକ୍ଷ୍ୟ ହାସଲ କରିପାରିଛି। ଚଳିତବର୍ଷ ସାରା ରାଜ୍ୟରୁ ୮୩ଟି ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରୁଛନ୍ତି। ଜୁନିୟର ଗ୍ରୁପ୍‌ରେ ୩୯ଟି ଟିମ୍‌ ଥିବାବେଳେ ସିନିୟର ଗ୍ରୁପ୍‌ରେ ୪୪ଟି ଟିମ୍‌ ରହିଛନ୍ତି। ଜୁନିୟର ଗ୍ରୁପ୍‌ରେ ପୁରୀ, କଟକ, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଓ ଅନୁଗୋଳ ଆଦି ଜିଲାର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗନେଉଥିବା ବେଳେ ସିନିୟର ଗ୍ରୁପ୍‌ରେ ଭୁବନେଶ୍ୱର, ରାୟଗଡ଼ା, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ଖଡଗପୁର, ରାୟପୁର, ଝାଡ଼ଖଣ୍ଡ ଆଦି ସ୍ଥାନର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଛନ୍ତି। ଏଥର ‘ମେଟଲ ମିଟ୍‌’ରେ ଛାତ୍ରୀଛାତ୍ରଙ୍କୁ ଅଜୟ ପୁନିଆଙ୍କ ପ୍ରଶ୍ନବାଣର ସାମ୍ନା କରିବାକୁ ପଡ଼ିବ।

Share