ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି। ‘କମ୍ପାନୀ ଦଲାଲ’ ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଓ ପରବର୍ତ୍ତୀ ପୋଲିସ କାର୍ଯ୍ୟାନୁଷ୍ଠାନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୦ ତାରିଖ ସାରେ ତଳଆମ୍ବପଦର ଗ୍ରାମର ପବିତ୍ର ନାଏକଙ୍କ ଉପରେ ଗ୍ରାମର କିଛି ଲୋକ ଦଳବଦ୍ଧ ଭାବେ ଆକ୍ରମଣ କରିଥିଲେ। ପବିତ୍ର କମ୍ପାନୀର ଦଲାଲି କରୁଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଏହି ଘଟଣାର ପରଦିନ ଅର୍ଥାତ ୧୧ ମାର୍ଚ୍ଚ ରାତିରେ ପବିତ୍ରଙ୍କ ଭାଇ ମହେଶ୍ୱର ଜାଲଙ୍କ ଏତଲା ଭିତ୍ତିରେ କର୍ଲାପାଟ ଥାନାରେ ମାମଲା ରୁଜୁ ହୋଇଥିଲା।
କାର୍ଲାପାଟ ଥାନା କେସ ନମ୍ବର ୧୦/୨୬, ତାରିଖ ୧୧.୦୩.୨୦୨୬ ଅନୁଯାୟୀ, ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଦଫା ଯଥା ୨୯୬, ୧୧୫(୨), ୧୧୭(୨), ୧୦୯(୧), ୩୨୪(୨), ୩୫୧(୩), ୧୯୧(୨), ୧୯୧(୩) ଏବଂ ୧୯୦ ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୧୧ ଜଣ ପୁରୁଷ ଓ ୧୦ ଜଣ ମହିଳାଙ୍କୁ ଗିରଫ କରିଛି।
ଶୁକ୍ରବାର ବିଧାନସଭାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରି ଏବଂ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟସଙ୍କର ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି। ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, କମ୍ପାନୀକୁ ସୁହାଇବା ପାଇଁ ପୋଲିସ ଏଭଳି କଠୋର ଦଫା ଲଗାଇଛି। ଗିରଫ ହୋଇଥିବା ମହିଳାଙ୍କ ମଧ୍ୟରେ କିଛି ଗର୍ଭବତୀ ଥିବା ବେଳେ ସେମାନଙ୍କୁ ମଧ୍ୟ ଜେଲରେ ରଖିବା ଅତ୍ୟନ୍ତ ଅମାନବୀୟ ବୋଲି ସେମାନେ ଦର୍ଶାଇଛନ୍ତି।
ଅନ୍ୟପଟେ ଗ୍ରାମବାସୀଙ୍କ ଅଭିଯୋଗ ଯେ, ପବିତ୍ର ନାଏକ ପୂର୍ବରୁ ଜଳ, ଜଙ୍ଗଲ ଓ ଜମି ସୁରକ୍ଷା ପାଇଁ ଚାଲିଥିବା ଆନ୍ଦୋଳନରେ ସାମିଲ ଥିଲେ। କିନ୍ତୁ ହଠାତ ସେ କମ୍ପାନୀର ଦଲାଲ ସାଜି ଲୋକଙ୍କୁ ଧୋକା ଦେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର ପାହାଡ଼, ଝରଣା ଓ ଜଙ୍ଗଲକୁ ବଞ୍ଚାଇବା ପାଇଁ ସେମାନେ ଦୀର୍ଘ ବର୍ଷ ଧରି ଲଢ଼ୁଥିବା ବେଳେ, ପ୍ରଶାସନ ଲୋକଙ୍କ କଥା ନ ଶୁଣି ଦମନମୂଳକ ନୀତି ଆପଣାଉଥିବା ଅଭିଯୋଗ ହୋଇଛି।
ବର୍ତ୍ତମାନ ଏହି ଘଟଣାକୁ ନେଇ କ୍ଷେତ୍ରରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ, ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।