ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ ପରୀକ୍ଷା ଅଛି। ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଯାଞ୍ଚ କରି ପରୀକ୍ଷା ହଲ୍କୁ ଛଡ଼ା ଯାଉଛି। ଏଥିସହ ବିଭିନ୍ନ ହବ୍ କେନ୍ଦ୍ରରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ସକାଳୁ ୭.୩୦ ମିନିଟ୍ ମଧ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ପଠାଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ହୋଇଥିବା ହବ୍ କେନ୍ଦ୍ରରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି। କପିକୁ ରୋକିବା ପାଇଁ କଡ଼ା ନିୟମ ହୋଇଛି। ତେଣୁ ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ମାର୍ଚ୍ଚ ୨୮ରେ ପରୀକ୍ଷା ସରିବ। ଶେଷଦିନ ଗୃହ ବିଜ୍ଞାନ ପରୀକ୍ଷା ହେବ। ୨୩ ଦିନ ବିଭିନ୍ନ ପରୀକ୍ଷା ହେବ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ହବ ସୁପରଭାଇଜର ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଡେପୁଟୀ ସୁପର ଭାଇଜର ସନାତନ ବେହେରା, ଅଧ୍ୟାପକ ପ୍ରତ୍ୟୁଷ କାର୍ଜୀ, ବୁଧେଶ୍ୱର ଗୋପାଳଗୋତ୍ର, ସହକାରୀ କର୍ମଚାରୀ ତପନ ବେହେରା, ବିନାୟକ ପ୍ରଧାନ, ବାଘା ଜେନା ପ୍ରମୁଖ ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି।