ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍ଏମ୍ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ ଏକା ପ୍ରଶ୍ନ କରିଥିଲେ। ଆଜି ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନ ପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ। ଆଜି ଗଜପତି ଜିଲା ପାରଳାଖେମୁଣ୍ଡି ମହାରାଜ ବାଳକ ଉଚ୍ଚ ବିଦ୍ୟାଳୟରେ ଏଏନ୍ଏମ୍ ପରୀକ୍ଷା ହେବାର ଥିଲା। ପିଲାଙ୍କୁ ପ୍ରଶ୍ନପତ୍ର ମଧ୍ୟ ବଣ୍ଟା ହୋଇଥିଲା ପରେ ହଠାତ୍ ପରୀକ୍ଷାକୁ ବାତିଲ କରାଯାଇଛି। କଷ୍ଟକରି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପିଲାମାନେ ପରୀକ୍ଷା ଗୃହରୁ ନିରାଶରେ ଫେରିବା ସମୟରେ ଭାବବିହ୍ବଳ ହୋଇପଡିଛନ୍ତି। କେହି ଦୁର୍ବୃତ୍ତ ପ୍ରଶ୍ନପତ୍ର ଲିକ୍ କରିବା ଯୋଗୁ ସମସ୍ତେ ହଇରାଣ ହେବାକୁ ପଡିଲା ବୋଲି ପରୀକ୍ଷାର୍ଥୀ କହିଛନ୍ତି ।