ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ ଭାରତରେ ନାଳନ୍ଦା, ତକ୍ଷଶିଳା, ବଲ୍ଲଭ, ଓଡାନ୍ତପୁରୀ, ବିକ୍ରମଶିଳା, ଜଗଦଲ୍ଲା, ସୋମପୁର, ସାରଦା ପୀଠ ଭଳି ଅନେକ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା। ତନ୍ମଧ୍ୟରୁ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଭୂମିକା ସ୍ବତନ୍ତ୍ର ଥିଲା। ପୁରାତନ ଉଡ୍ର(ଓଡ଼ିଶା)ର ଯାଜପୁର ଅଞ୍ଚଳରେ ଏହା ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ପ୍ରମୁଖ ଅନୁଷ୍ଠାନ ରୂପେ ସ୍ଥାପିତ ହୋଇଥିଲା। ଅନେକ ଐତିହାସିକ ଏବଂ ପ୍ରତ୍ନତତ୍ତ୍ୱବିତ୍ଙ୍କ ମତରେ ଏହାର ପରିସର ସମଗ୍ର ହୀରକ ତ୍ରିଭୁଜ ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲା। କୁହାଯାଏ ଯେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଆରମ୍ଭ ହୋଇ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଶିକ୍ଷାଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। ତେଣୁ ତାହାକୁ ଭାରତରେ ସର୍ବପୁରାତନ ଏବଂ ସର୍ବବୃହତ୍ ବିଶ୍ୱବିଦ୍ୟାଳୟ କୁହାଯାଏ। ଯାଜପୁର ଜିଲାର ଅସିହା ପର୍ବତମାଳାରେ ସ୍ଥାପିତ ହୋଇ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରିଥିଲା। ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ତାନ୍ତ୍ରିକ ବୌଦ୍ଧତତ୍ତ୍ୱର ବଜ୍ରଯାନ, କାଳଚକ୍ର ଯାନ ଓ ସହଜଯାନ ସମ୍ପ୍ରଦାୟର ଏକ ଚର୍ଚ୍ଚିତ ଅଧ୍ୟୟନ କେନ୍ଦ୍ର ଥିଲା।
ଚାଇନା ପରିବ୍ରାଜକ ହୁଏନ୍ସାଂ ଯେକି ଉଡ୍ର(ଓଡ଼ିଶା)କୁ ୬୩୯ ଖ୍ରୀଷ୍ଟାବ୍ଦରେ ଆଗମନ କରି ଓଡ଼ିଶାର ସମୃଦ୍ଧି ସମ୍ପର୍କରେ ଦର୍ଶାଇ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସେ ତାଙ୍କର ପୁସ୍ତକ ସିୟୁକିରେ ଏହି ବିଷୟରେ ଏକ ବିବରଣୀ ପ୍ରକାଶ କରିଛନ୍ତି। ହୁଏନ୍ସାଂ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଅବସ୍ଥିତ ଥିବା ପାହାଡ଼ରେ ଅଲୌକିକ କିରଣ ବିଛୁରିତ ହେବା ସହ ଅନେକ ଚମତ୍କାର ଘଟୁଥିଲା ବୋଲି ବର୍ଣ୍ଣନା କରିଛନ୍ତି। ହୁଏନ୍ସାଂ ତାହାକୁ ପୁ-ସିଏ-ପୋ-କି-ଲି ଭାବରେ ଦର୍ଶାଇଛନ୍ତି । ଅନ୍ୟ ଏକ ପ୍ରମାଣରୁ ଜଣାପଡ଼େ ଯେ, ତେଲଙ୍ଗାନା ରାଜ୍ୟର ନାଗାର୍ଜୁନ କୁଣ୍ଡଠାରେ ତୃତୀୟ ଶତାବ୍ଦୀର ଏକ ଶିଳାଲିପିରେ ଉଲ୍ଲେଖ କରାଯାଇଛି ଯେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟଠାରେ ଏକ ପ୍ରସ୍ତର ମଣ୍ଡପ ନିର୍ମାଣ ଇଶାଭାକୁ ବଂଶର ରାଜା ବୀରପୁରୁଷ ଦତ୍ତ ଅର୍ଥ ସାହାଯ୍ୟ କରିଥିଲେ।
ଏହି ବିଶ୍ୱବିଦ୍ୟାଳୟକୁ ଚାଇନା, ଜାପାନ, ଗ୍ରୀସ୍, ଆରବ, ଇଣ୍ଡୋନେସିଆ, ଭୁଟାନ, ତିବ୍ବତ, ନେପାଳ, ଥାଇଲାଣ୍ଡ, ଭିଏଟ୍ନାମ, କୋରିଆ, ମଙ୍ଗୋଲିଆ, ଲାଓସ, କାମ୍ବୋଡିଆ, ସିଂହଳ ପ୍ରଭୃତି ଦେଶରୁ ବିଦ୍ୱାନ୍ମାନେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା ନିମନ୍ତେ ଆସୁଥିଲେ। ଏଠାରେ ଉଚ୍ଚତର ଗବେଷଣା ଓ ନବଉନ୍ମେଷକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଉତ୍ତମ ଛାତ୍ରନିର୍ମାଣ, ଚାରିତ୍ରିକ ବିକାଶ, ନୈତିକ ଶିକ୍ଷା ଏବଂ ରାଷ୍ଟ୍ରଗଠନ ସମ୍ପର୍କରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଥିଲା। ବେଦ, ହେତୁବିଦ୍ୟା(ତର୍କଶାସ୍ତ୍ର), ଶବ୍ଦ ବିଦ୍ୟା(ବ୍ୟାକରଣ ଓ ଭାଷାତତ୍ତ୍ୱ), ଚିକିତ୍ସା ବିଦ୍ୟା, ନୀତି ଓ ନ୍ୟାୟ(ଆଇନ), ଅର୍ଥଶାସ୍ତ୍ର, ସଂଖ୍ୟା, ଧର୍ମଶାସ୍ତ୍ର, ଯୋଗ ଓ ପ୍ରାଣାୟାମ ସହ ଗଣିତ ଜ୍ୟୋତିଷ, ଗଣିତ ବାଣିଜ୍ୟ, ରାଜନୀତି ବିଜ୍ଞାନ, ସମରକଳା, ଅଧ୍ୟାମତ୍ବାଦ, ସମୁଦ୍ର ବିଜ୍ଞାନ, ସ୍ଥାପତ୍ୟ ବିଦ୍ୟା, କଳା ପ୍ରଭୃତି ଅଧ୍ୟୟନ କରାଯାଉଥିଲା। ହୁଏନ୍ସାଂଙ୍କ ମତରେ ଏହାର ପର୍ବତ ଶୋଭା, ଅଧ୍ୟୟନ ପ୍ରଣାଳୀ, ସୂକ୍ଷ୍ମ କାରୁକାର୍ଯ୍ୟ, ମନୋରମ ପ୍ରାକୃତିକ ଦୃଶ୍ୟ ସୁଦୂର ଅଞ୍ଚଳରୁ ବିଦ୍ୟାର୍ଥୀମାନଙ୍କୁ ଆକର୍ଷଣ କରୁଥିଲା। କଳିଙ୍ଗର ନୌଶକ୍ତି ଅତି ଉଚ୍ଚକୋଟୀର ହୋଇଥିବାରୁ ବିଦ୍ୟାର୍ଥୀମାନେ ସମୁଦ୍ରପଥରେ ଆସି କଳିଙ୍ଗର ବିଭିନ୍ନ ବନ୍ଦରରେ ପହଞ୍ଚି ବିରୂପା ଓ ବ୍ରାହ୍ମଣୀ ନଦୀପଥରେ ଏଠାକୁ ଆସି ପାରୁଥିଲେ।
ବୌଦ୍ଧ ଗ୍ରନ୍ଥମାନଙ୍କରୁ ଜଣାପଡ଼େ ଯେ ଗୁରୁ ପଦ୍ମସମ୍ଭବ ପୁଷ୍ପଗିରି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଓ ସିଦ୍ଧି ପ୍ରାପ୍ତ ହୋଇ ସିକ୍କିମ, ଭୁଟାନ, ତିବ୍ବତ, ନେପାଳ, ଅରୁଣାଚଳ ଇତ୍ୟାଦି ଅଞ୍ଚଳରେ ବୌଦ୍ଧ ଧର୍ମ ପ୍ରସାର କରିଥିଲେ। ଉଦୟଗିରି ପ୍ରବେଶପଥରେ ଥିବା ଅବଲୋକେତଶ୍ୱର ମୂର୍ତ୍ତି ପଶ୍ଚାଦପଟ୍ଟରେ ଉଲ୍ଲେଖ କରାଯାଇଛି ଯେ, ଗୁରୁ ପଦ୍ମସମ୍ଭବଙ୍କ ଦେହାବଶେଷ ଏକ ପେଟିକା ମଧ୍ୟରେ ଉଦୟଗିରି ଅଞ୍ଚଳରେ ସଂରକ୍ଷିତ ହୋଇରହିଛି। ଗୁରୁ ପଦ୍ମ ସମ୍ଭବ ସମ୍ବଲକ (ସମ୍ବଲପୁର) ରାଜ୍ୟର ରାଜା ଇନ୍ଦ୍ରଭୂତିଙ୍କର ପାଳିତ ପୁତ୍ର ଥିଲେ। ଇନ୍ଦ୍ରଭୂତି ମଧ୍ୟ ଜଣେ ତାନ୍ତ୍ରିକ ସିଦ୍ଧ ଆଚାର୍ଯ୍ୟ ଥିଲେ। ସେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟରେ ବଜ୍ରଯାନର ଜଣେ ପ୍ରତିଷ୍ଠାତା ସାଧକ ଥିଲେ। ତାଙ୍କ ଭଉଣୀ ଲକ୍ଷ୍ମୀଙ୍କରା ଅଷ୍ଟମ ଶତାବ୍ଦୀରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟରେ ସହଜଯାନ ପ୍ରତିଷ୍ଠା କରିଥିଲେ। ଏଠାରେ ଆଚାର୍ଯ୍ୟ ପିତୋପାଦ କାଳଚକ୍ରଯାନର ପ୍ରତିଷ୍ଠାତା ଥିଲେ। ବୌଦ୍ଧଗ୍ରନ୍ଥମାନଙ୍କରୁ ଜଣାପଡେ, ଭୌମକର ବଂଶର ରାଜତ୍ୱକାଳରେ ଶିବଙ୍କର ଦେବ-୧ ବୌଦ୍ଧ ଆଚାର୍ଯ୍ୟ ପ୍ରଜ୍ଞାଙ୍କ ହାତରେ ‘ଗଣ୍ଡବ୍ୟୁହ’ ନାମକ ଏକ ପାଣ୍ଡୁଲିପି ନିଜ ସ୍ବାକ୍ଷର ସହ ଚାଇନା ରାଜା ତୋ-ତିସାଙ୍ଗଙ୍କ ନିକଟକୁ ପଠାଇଥିଲେ। ସେ ଚାଇନାରେ ବୌଦ୍ଧଧର୍ମ ପ୍ରଚାର କରିବା ସହ ଅନେକ ବୌଦ୍ଧଗ୍ରନ୍ଥକୁ ଚାଇନାର ମାଣ୍ଡାରିନ୍ ଭାଷାରେ ଅନୁବାଦ କରିଥିଲେ। ପଞ୍ଚମ ଶତାବ୍ଦୀରେ ଆଚାର୍ଯ୍ୟ ବୋଧିଶ୍ରୀ ଜଣେ ତାନ୍ତ୍ରିକ ସାଧକ ଥିଲେ। ସେ ବହୁ ରାଜା ଓ ମହାରାଜାମାନଙ୍କଠାରୁ ପାଣ୍ଠି ସଂଗ୍ରହ କରି ଛାତ୍ରବୃତ୍ତି ବ୍ୟବସ୍ଥା କରିଥିଲେ। ଦ୍ୱିତୀୟ ଶତାବ୍ଦୀରେ ଆଚାର୍ଯ୍ୟ ନାଗାର୍ଜୁନ ମଧ୍ୟ ଉକ୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ଶୂନ୍ୟତା ଚିନ୍ତାଧାରା ଓ ମାଧ୍ୟମିକ ମତ ପ୍ରକାଶ କରିଥିଲେ। ତାଙ୍କର ଶିଷ୍ୟ ଆଚାର୍ଯ୍ୟ ଆର୍ଯ୍ୟଦେବ ଏଠାରେ ଚତୁଃଶତକ, ଚକ୍ରକୀର୍ତ୍ତି ପ୍ରଭୃତି ପୁସ୍ତକ ରଚନା କରିଥିଲେ। ପଞ୍ଚମ ଶତାବ୍ଦୀରେ ପୁରୀର ଡିଙ୍ଗନାଙ୍ଗ ପୁଷ୍ପଗିରି ବିଶ୍ୱବିଦ୍ୟାଳୟରେ ବୌଦ୍ଧ ତର୍କ ଶାସ୍ତ୍ର ଏବଂ ନ୍ୟାୟ ଶାସ୍ତ୍ରରେ ପ୍ରସିଦ୍ଧି ଲାଭ କରିଥିଲେ। ଆଚାର୍ଯ୍ୟ ଅମୋଘଚନ୍ଦ୍ର, ବଜ୍ରବୋଧି ଏବଂ ଶୁଭଙ୍କର ସିଂ ସର୍ବତଥାଗତତତ୍ତ୍ୱ ସଂଗ୍ରହ ଓ ମହାଭୈରକୋଣା ସୂତ୍ର ପୁସ୍ତକକୁ ଦକ୍ଷିଣ ପୂର୍ବ ଏସିଆ ଓ ଶ୍ରୀଲଙ୍କାକୁ ନେଇ ସେଠାରେ ମଣ୍ଡଳ ସ୍ତୂପ ସ୍ଥାପନା କରିଥିଲେ। ଉପରୋକ୍ତ ବୌଦ୍ଧ ଆଚାର୍ଯ୍ୟଙ୍କ ବ୍ୟତୀତ ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ ନାରୋପା, ଶବରୀପାଦ, ଲୁଇପାଦ, କମ୍ବଳପାଦ, ଅନଙ୍ଗଭଦ୍ର, ବିରୁପାଦ, କାହ୍ନୁପାଦ ଇତ୍ୟାଦି ପୁଷ୍ପଗିରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ। ରାଜା ହର୍ଷବର୍ଦ୍ଧନ ମଧ୍ୟ ଜୟସେନ ନାମକ ଜଣେ ବିଦ୍ୱାନ୍ଙ୍କୁ ନାଳନ୍ଦାରୁ ଏଠାକୁ ଦର୍ଶନ ତତ୍ତ୍ୱ ଅଧ୍ୟୟନ ନିମନ୍ତେ ପଠାଇଥିଲେ।
କିନ୍ତୁ ସମୟ ସ୍ରୋତରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଗୁରୁତ୍ୱ କ୍ରମଶଃ ହ୍ରାସ ପାଇଲା ଏବଂ କାଳଗର୍ଭରେ ଲୀନ ହୋଇଗଲା। ଏହାର ବିଭିନ୍ନ କାରଣ ମଧ୍ୟରୁ ବିଦେଶୀ ଶତ୍ରୁମାନଙ୍କର ଆକ୍ରମଣ, ସାମାଜିକ ଓ ରାଜନୈତିକ ପରିବର୍ତ୍ତନ, ବୌଦ୍ଧଧର୍ମ ପ୍ରତି ଶାସକମାନଙ୍କର ପୃଷ୍ଠପୋଷକତା ହ୍ରାସ ଇତ୍ୟାଦି ହୋଇପାରେ।
ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର କରି ତାହାର ହୃତ ଗୌରବକୁ ଫେରାଇ ଅଣାଯାଇପାରିବାର ବର୍ତ୍ତମାନ ପ୍ରକୃଷ୍ଟ ସମୟ। କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରୂପେ ଏହାକୁ ରାଜ୍ୟ ସରକାରଙ୍କ ସହଯୋଗରେ ପୁନଃ ପ୍ରତିଷ୍ଠା କରିପାରିବେ। ଯଦି ନାଳନ୍ଦା ବିଶ୍ୱବିଦ୍ୟାଳୟ ୧୦ ବର୍ଷ ପୂର୍ବରୁ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରୂପେ ବିହାର ସରକାରଙ୍କ ସହାୟତାରେ ପ୍ରତିଷ୍ଠା ହୋଇପାରିଛି, ତା’ହେଲେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ମଧ୍ୟ ପୁନଃ ପ୍ରତିଷ୍ଠା ସମ୍ଭବ। ଯଦି ବା କେନ୍ଦ୍ର ସରକାର ପ୍ରାୟ ଏକ ବର୍ଷ ପୂର୍ବରୁ ଏହି ପ୍ରକଳ୍ପକୁ ପୂର୍ବୋଦୟ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି, ତଥାପି ଏହା ସମ୍ବନ୍ଧରେ କୌଣସି ଅଗ୍ରଗତି ଘଟିପାରି ନାହିଁ।
ପ୍ରସ୍ତାବିତ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ବିକଶିତ ଭାରତ-୨୦୪୭ ଓ ସମୃଦ୍ଧ ଓଡ଼ିଶା-୨୦୩୬ ହାସଲ ନିମନ୍ତେ ବିଶେଷ ଭାବରେ ଭିତ୍ତିଭୂମି, ଦକ୍ଷତା, ନବସୃଜନ ଏବଂ ସଂସ୍କାର ଭଳି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନଦେଇ ଜ୍ଞାନ ଆହରଣରେ ସକ୍ରିୟ ଅଂଶଗ୍ରହଣ କରିପାରିବ। ଏହାଦ୍ୱାରା ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନୂତନ ଆଶାର ସଞ୍ଚାର ହୋଇପାରିବ। ଯାହାଦ୍ୱାରା ଦେଶର ପ୍ରଗତି ହେବା ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସହାୟକ ହେବ। ଶିକ୍ଷାଭିତ୍ତିଭୂମିର ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସହଭାଗିତା ବୃଦ୍ଧି କରି ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ। ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଅଧିକ ସମୃଦ୍ଧ ହେବ। ଅତୀତରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଯେଉଁ ମର୍ଯ୍ୟାଦା ବହନ କରୁଥିଲା, ତାହାର ପୁନରୁଦ୍ଧାର ଆବଶ୍ୟକ, ଯାହାଦ୍ୱାରା ଓଡ଼ିଆ ଅସ୍ମିତା ରକ୍ଷା କରିବାରେ ସହାୟକ ହେବ। ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଦ୍ୱାରା ଭାରତୀୟ ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଏକ ସେତୁ ପ୍ରତିଷ୍ଠା ହୋଇପାରିବ।
ଡ.କେଦାରନାଥ ଦାଶ
ପ୍ରାକ୍ତନ ଅଧ୍ୟକ୍ଷ, ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ, ଚଣ୍ଡିଖୋଲ, ଯାଜପୁର
ମୋ: ୯୪୩୭୩୧୫୨୬୨

