ଓଡିଶା ସରକାରଙ୍କ ବଡ ଯୋଜନା: ପୁରୀରେ ହେବ ବିଶ୍ୱସ୍ତରୀୟ ମେରାଇନ୍‌ ଆକ୍ୱାରିୟମ୍‌

ଭୁବନେଶ୍ୱର: ପୁରୀର ବିଶ୍ୱବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସମୁଦ୍ର କୂଳର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ପୁରୀ ସମୁଦ୍ର କୂଳ ନିକଟରେ ଏକ ଆନ୍ତର୍ଜାତୀୟ ମାନର ମେରାଇନ୍‌ ଆକ୍ୱାରିୟମ୍‌ ଓ ଅଣ୍ଡରୱାଟର ଜୁ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ମେରାଇନ୍‌ ଟୁରିଜମ୍‌କୁ ପ୍ରୋତ୍ସାହନ ଦେବା ସହ ଶିକ୍ଷା, ସଂରକ୍ଷଣ ଓ ବହୁମୁଖୀ ବିକାଶ ଉପରେ ଗୁରୁତ୍ୱ ଦିଆଯିବ।

ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗ ଏହି ପ୍ରକଳ୍ପ ପାଇଁ ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟରେଷ୍ଟ (EOI) ଆହ୍ୱାନ କରିଛି। ଏହା ପବ୍ଲିକ୍‌-ପ୍ରାଇଭେଟ୍‌ ପାର୍ଟନରସିପ୍‌ (PPP) ମଡେଲରେ ନିର୍ମିତ ହେବ, ଯେଉଁଥିରେ ଏକ ଘରୋଇ ସଂସ୍ଥା ନିର୍ମାଣ, ମାଲିକାନା ଓ ପରିଚାଳନା ଦାୟିତ୍ୱ ନେବ। ସରକାର ସୁଲଭ ମୂଲ୍ୟରେ ଜମି ଯୋଗାଇବେ ଏବଂ ଆର୍ଥିକ ସହାୟତା ପାଇଁ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ଉପରେ ବିଚାର କରିପାରନ୍ତି।

ନିର୍ବାଚିତ ସଂସ୍ଥାକୁ ଆନ୍ତର୍ଜାତୀୟ ମାନର ପ୍ରଦର୍ଶନୀ ନିର୍ମାଣ, ପରିବେଶ ଓ ଆଇନଗତ ନିୟମ ପାଳନ ଏବଂ ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କାର୍ଯ୍ୟ କରିବାକୁ ହେବ। ଆଗ୍ରହୀ ସଂସ୍ଥାମାନେ ଅକ୍ଟୋବର ୧୦ ସୁଦ୍ଧା ପ୍ରସ୍ତାବ ଦାଖଲ କରିବେ। ଅକ୍ଟୋବର ୨୦ରୁ ପ୍ରସ୍ତାବ ମୂଲ୍ୟାଙ୍କନ ଆରମ୍ଭ ହେବ ଏବଂ ଅକ୍ଟୋବର ୩୦ରେ ଚୂଡ଼ାନ୍ତ ଘୋଷଣା ହେବ।