ପୁରୀ,୩।୯: ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ୱାଦଶ ତିଥିରେ ବାମନ ଜନ୍ମ ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ସର୍ବସାଧାରଣ ପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ବନ୍ଦ ରହିବ।
ସେପଟେ ଶ୍ରୀମନ୍ଦିରରେ ଶୀଘ୍ର ଭକ୍ତମାନଙ୍କ ପାଇଁ ‘ଧାଡ଼ି’ (କ୍ୟୁ) ଦର୍ଶନ ବ୍ୟବସ୍ଥା ପ୍ରବର୍ତ୍ତନ କରାଯିବ। ବୁଧବାର ନୂତନ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହି ବ୍ୟବସ୍ଥା ନାଟମଣ୍ଡପରେ ପ୍ରଥମେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ, ପରେ ପୂର୍ଣ୍ଣାଙ୍ଗ ରୂପେ ଲାଗୁ ହେବ। କମିଟି ଶ୍ରୀଜିଉଙ୍କ ନୀତି ସମୟାନୁସାରେ ସମ୍ପନ୍ନ ହେବା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି।
— Shree Jagannatha Temple Office, Puri (@SJTA_Puri) September 3, 2025
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏହି ଧାଡ଼ି ବ୍ୟବସ୍ଥା ପାଇଁ ଏକ ମାନକ ପ୍ରଚାଳନ ପ୍ରଣାଳୀ (SOP) ପ୍ରସ୍ତୁତ କରିବ। ଭକ୍ତମାନଙ୍କ ସୁବିଧା ପାଇଁ ନାଟମଣ୍ଡପରେ ଏୟାର-କଣ୍ଡିସନିଂ (AC) ସ୍ଥାପନ ପାଇଁ ଭାରତୀୟ ପୁରାତତ୍ତ୍ୱ ସର୍ଭେ (ASI) ଅନୁମତି ଦେଇଛି।
ସେହିପରି କମିଟି ଇସ୍କନ ଦ୍ୱାରା ଅସମୟରେ ରଥଯାତ୍ରା ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ପୁରୀ ରାଜା ଦିବ୍ୟସିଂହ ଦେବ ସେପ୍ଟେମ୍ବର ୬ ତାରିଖରେ ବିବୃତି ଜାରି କରିବେ। SJTA ମଧ୍ୟ ଇସ୍କନର ପରିଚାଳନା ପରିଷଦକୁ ଏ ସମ୍ପର୍କରେ ଚିଠି ଲେଖିବ।


