ପୁରୀ ନୀଳାଦ୍ରୀ ଭକ୍ତ ନିବାସ ନକଲି ୱେବସାଇଟ୍ ମାମଲା, ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ସିଆଇଡି ସାଇବର କ୍ରାଇମ୍ ୟୁନିଟ୍ ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ତିଆରି କରି ଭକ୍ତମାନଙ୍କୁ ଠକେଇ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଉଛନ୍ତି ଆଗ୍ରାର ଅଂଶୁମାନ ଶର୍ମା ଏବଂ ତାଙ୍କ ସହଯୋଗୀ ପ୍ରୟାଗରାଜ ବାସିନ୍ଦା ଅରବିନ୍ଦ କୁମାର।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା। ଅଭିଯୋଗ ମୁତାବକ ଅଭିଯୁକ୍ତ ମାନେ www.neeladribhaktanivas.in ନାମକ ଏକ ନକଲି ୱେବସାଇଟ୍ ମାଧ୍ୟମରେ ଠକେଇକାରୀମାନେ ଭକ୍ତମାନଙ୍କୁ ଏକ ମୋବାଇଲ୍ ନମ୍ବର ଓ ୱାଟସଆପ୍ ଜରିଆରେ ଯୋଗାଯୋଗ କରୁଥିଲେ। ସେମାନେ ନୀଳାଦ୍ରୀ ଭକ୍ତ ନିବାସରେ ରହଣୀ ସୁନିଶ୍ଚିତ କରିବା ନାମରେ ଅନଲାଇନ୍ ମାଧ୍ୟମରେ ଟଙ୍କା ଜମା କରିବାକୁ କହୁଥିଲେ।

ଏହି ଠକେଇ ପାଇଁ କ୍ୟାନାରା ବ୍ୟାଙ୍କର ଏକ ସେଭିଂସ୍ ଆକାଉଣ୍ଟ ବ୍ୟବହାର ହୋଇଥିଲା। ଅଭିଯୁକ୍ତଙ୍କ ନିକଟରୁ ଏକ ଲାପଟପ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, ନୀଳାଦ୍ରୀ ଭକ୍ତ ନିବାସ ୱେବସାଇଟ୍ର ବିବରଣୀ, ଆଧାର କାର୍ଡ, ପାନ୍ କାର୍ଡ ଏବଂ ଗୋଡାଡି ହୋଷ୍ଟିଂ ବିବରଣୀ ଜବତ କରାଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ କେବଳ ଅଧିକୃତ ୱେବସାଇଟ୍ www.shreejagannath.in ମାଧ୍ୟମରେ ବୁକିଂ କରିବାକୁ ପରାମର୍ଶ ଦେଇଛି। ପୁରୀ ବୁଲି ବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ହୋଟେଲ ବୁକିଂ ସମୟରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି କ୍ରାଇମ ବ୍ରାଞ୍ଚ।

Share