ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଶୁକ୍ରବାର ଚେମଣା ପଞ୍ଚାୟତ ଧନୁର୍ଜୟପୁର ଗ୍ରାମ ସ୍କୁଲ ପଡ଼ିଆରେ ଚତୁର୍ଥ ଗ୍ରାମସଭା ଅନୁଷ୍ଠିତ ହୋଇଛି।
ତେବେ ଶୁକ୍ରବାର ସକାଳୁ ଚେମଣା ପଞ୍ଚାୟତର ଧନୁର୍ଜୟପୁରରେ ଗ୍ରାମସଭାକୁ ଶାନ୍ତିପୂର୍ଣ୍ଣ ଭାବେ ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ ପକ୍ଷରୁ ବିରୋଧ କରୁଥିବା ସମୟରେ ବିନା ଉତ୍ତେଜନାରେ ପୋଲିସ ପ୍ଲାଣ୍ଟ ବିରୋଧୀଙ୍କ ଉପରେ ଲାଠିଚାର୍ଜ କରିଛି। ପ୍ଲାଣ୍ଟ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଭା ଆରମ୍ଭ ପୂର୍ବରୁ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ତୁରୁମୁଙ୍ଗା ପୋଲିସ ୪ଜଣ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛ। ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ତୁରନ୍ତ ସେମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବାକୁ ଦାବି କରାଯାଇଛି।
ଏହାପରେ ଆୟୋଜିତ ଗ୍ରାମସଭା ସ୍ଥାନୀୟ ସରପଞ୍ଚ ହେମଲତା ନାଏକଙ୍କ ଅଧ୍ୟକ୍ଷତାରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ଅତିରିକ୍ତ ଜିଲାପାଳ ତଥା ସତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ମହାନ୍ତ, ଓ୍ବାର୍ଡମେମ୍ବର ଜାନକୀ ନାଏକ ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକ, ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ଇଡ୍କୋ ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ କିଶୋର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ସଭାସ୍ଥଳର ବିଭିନ୍ନ ପ୍ରବେଶ ପଥରେ ଅନେକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଆଇନଶୃଙ୍ଖଳା ପାଇଁ କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳେଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ନେହାଶିଷ ସାହୁ, ଜ୍ୟୋତିର୍ମୟ ଭୁକ୍ତ, ପ୍ରବଧାନ, ଚାମ୍ପୁଆ ଏସ୍ଡିପିଓ ରଶ୍ମୀରଞ୍ଜନ ସାହୁ, କେନ୍ଦୁଝର ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇ, ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।
ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଶୁକ୍ରବାର ପୂର୍ବାହ୍ନରେ ଗ୍ରାମସଭା ଅନୁଷ୍ଠିତ ହେଇଥିଲା। ଏଥିରେ ୩ ଜଣ ଗ୍ରାମବାସୀ ନିଜ ନଜର ଦାବି ଉପସ୍ଥାପନ କରି ଏକର ପିଛା ୫୦କୋଟି ସହ ଅନ୍ୟାନ୍ୟ ୩୭ଟି ଦାବି ଉପସ୍ଥାପନ କରାଇଥିଲେ। ଗାଁର ଏ ୫୬.୧୧୦ ଡିସିମିଲି ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭାରେ ଲୋକଙ୍କଠାରୁ ମତାମତ ଗ୍ରହଣ କରାଯାଇଥିଲା।