ଫସଲ ବୀମା କ୍ଷତିପୂରଣ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ସଭାପତି ପି.ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଶହଶହ ଚାଷୀ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏନେଇ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଅଖିଳ ଭାରତ କୃଷକ ସଭାର କେନ୍ଦ୍ରୀୟ କମିଟି ସଭ୍ୟ ତଥା ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ଚାଷୀଙ୍କ ଫସଲ ବୀମାର କ୍ଷତିପୂରଣ ତୁରନ୍ତ ପ୍ରଦାନ ନିମନ୍ତେ ସେ ଦାବି କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କୃଷକ ନେତା କୈଳାସ ଷଡ଼ଙ୍ଗୀ, ଜିଲା ନେତା ଗୋପାଳ କୃଷ୍ଣ ପାଣିଗ୍ରାହୀ, ଜିଲା ସମ୍ପାଦକ ଅଜୟ ଗୌଡ଼, ଯୋଗେଶ ସାହୁ, ବିଭୂ ପ୍ରସାଦ ପାଣିଗ୍ରାହୀ, ବୈରାଗୀ ବେହେରା, ମୋଚିଆ ଶବର, ଶୁକ୍ରୁ ଶବର, ଉଲ୍ଲାସ ଶବର ଓ ଗୋବର୍ଦ୍ଧନ ପାହାନଙ୍କ ସମେତ ବହୁ କୃଷକ ନେତା ଯୋଗଦେଇ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହିତ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ସରଳୀକରଣ କରି ଅବଧି ବୃଦ୍ଧି କରିବା। ଗତ ଖରିଫ ଫସଲ ଅମଳ ବେଳେ ଅଦିନିଆ ବର୍ଷାର ଫସଲ ବୀମା କ୍ଷତି ପୂରଣ ପ୍ରଦାନ କରିବା, ଆଦିବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା, ଦଖଲ ସରକାରୀ ଜମି ଓ ଘର ପଟ୍ଟା ପ୍ରଦାନ , ରିହାତି ଦରରେ ସାର, ବିହନ ଓ ଔଷଧ ପ୍ରଦାନ ସହିତ କଳା ବଜାର ବନ୍ଦ କରିବା, ନୂତନ ଜଳ ପ୍ରକଳ୍ପ କରି ସବୁ ଅଞ୍ଚଳକୁ ଜଳସେଚନ କରିବା ଏବଂ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବା, ବନ୍ୟଜନ୍ତୁଦାଉରୁ ଚାଷୀ ଫସଲ ରକ୍ଷା ପାଇଁ ବନ୍ୟ ସଂରକ୍ଷଣ ଆଇନ ସଂଶୋଧନ କରିବା, ମନରେଗା ଯୋଜନାରେ ମୂଲିଆଙ୍କୁ ବାର୍ଷିକ ୨୦୦ଦିନ କାମ ସହିତ ଦୈନିକ ୬ଶହ ଟଙ୍କା ମଜୁରୀ ଦେବା, ଜିଲାପାଳ ଓ ବ୍ଲକ କୃଷି କାର୍ଯ୍ୟାଳୟରେ ଫସଲ ବୀମା ଦପ୍ତର ଖୋଲିବା, ଚାଷୀଙ୍କ ଜମିରେ ମାଗଣାରେ ବୋରଓ୍ବେଲ୍‌ ଖନନ ଓ ଅଚଳ ଉଠାଜଳସେଚନ ପଏଣ୍ଟ ମରାମତି ଏବଂ ଆଡ଼ିବନ୍ଧ ନିର୍ମାଣ କରିବା ନିମନ୍ତେ ସେମାନେ ଦାବି କରିଛନ୍ତି।

Share