ବକେୟା ପଡ଼ିଛି ଶ୍ରମିକଙ୍କ ପାଉଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଧିନସ୍ଥ ଗନ୍ଧମାର୍ଦ୍ଦନ ସ୍ପଞ୍ଜ୍‌ ଇଣ୍ଡଷ୍ଟ୍ରି ଲିଃ କମ୍ପାନୀର ପୁତୁଳିପାଣି ଲୌହଖଣି ଆଜିକୁ ୮ ବର୍ଷ ହେଲା ବନ୍ଦ ହେଲାଣି। ତେବେ ଏହି ଖଣି ଖୋଲୁ ନ ଥିବା ଏବଂ ଶ୍ରମିକଙ୍କ ବକେୟା ମଜୁରୀ ମିଳୁନାହିଁ। ଏଣୁ ତୁରନ୍ତ ଶ୍ରମିକଙ୍କ ମଜୁରୀ ପ୍ରଦାନ ଦାବିରେ ଶନିବାର କେନ୍ଦୁଝର ମାଇନ୍‌ସ ଆଣ୍ଡ୍‌ ଫରେଷ୍ଟ ଓ୍ବାର୍କର୍ସ ୟୁନିୟନ ( ଏଆଇଟିୟୁସି) ତରଫରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରମିକମାନଙ୍କର ଏକ ବିକ୍ଷୋଭ ଅନୁଷ୍ଠିତ ହେବା ସହ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ପ୍ରକାଶ ଯେ, କେନ୍ଦ୍ର ପରିବେଶ ବିଭାଗର ଅନୁମତି ନ ଥିବାରୁ ସରକାର ୨୦୧୪ରୁ ଖଣି କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇ ଖୁବ୍‌ଶୀଘ୍ର ପରିବେଶ ଅନୁମତି ନେଇ ଖଣି ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୁବ୍‌ଶୀଘ୍ର ଖଣି ଖୋଲାଯିବ କହି କମ୍ପାନୀ ତରଫରୁ କୁହାଗଲା ଓ ୩୧ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ସମସ୍ତ ଶ୍ରମିକମାନେ ପ୍ରତିଦିନ ଖଣି କାର୍ଯ୍ୟାଳୟ ଆସି ନିଜ ନିଜର ହାଜିରା ଦେଉଥିଲେ।

ଜାନୁଆରୀ ୨୦୧୮ରୁ କମ୍ପାନୀ ହଠାତ୍‌ ବିନା ନୋଟିସ୍‌ରେ ଖଣି କାର୍ଯ୍ୟାଳୟ ବନ୍ଦ କରି ଶ୍ରମିକମାନଙ୍କ ହାଜିରା ବନ୍ଦ କରିଦେଲେ ଏବଂ ଖୁବ୍‌ଶୀଘ୍ର ବକେୟା ପ୍ରାପ୍ୟ ମିଳିଯିବ ବୋଲି କହିଲେ। ଏପରିକି କେନ୍ଦୁଝରର ନରଣପୁରଠାରେ ଥିବା କମ୍ପାନୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରି ଦିଆଗଲା। ଖଣି ଖୋଲିବା ଆଶାରେ ଅପେକ୍ଷା କରି କରି ଆଠ ବର୍ଷ ବିତିଗଲା ପରେ ବି କମ୍ପାନୀ ଶ୍ରମିକମାନଙ୍କର ବକେୟା ମଜୁରୀ, ବୋନ୍‌ସ, ଛୁଟି, ଗ୍ରାଚ୍ୟୁଇଟି ଆଦି ଦେଉ ନାହାନ୍ତି। ଆମେ ଏଥିପାଇଁ ବାରମ୍ବାର ଆନ୍ଦୋଳନ କଲା ପରେ କେହି ଶୁଣୁ ନାହାନ୍ତି।

୨୦୧୯ ଭୟାବହ କରୋନା ସମୟରେ କୋଲକାତାସ୍ଥିତ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ ଦରଖାସ୍ତ କରି କମ୍ପାନୀର ମାଲିକାନା ବଦଳାଇ ଦେଇଛନ୍ତି। କିନ୍ତୁ ଶ୍ରମିକମାନଙ୍କର ପ୍ରାପ୍ୟ ପ୍ରଦାନର କୌଣସି ବ୍ୟବସ୍ଥା କରାଯାଇନାହିଁ। ରାଜ୍ୟ ସରକାରଙ୍କ ଦ୍ବାରା ବର୍ତ୍ତମାନ ଏହି ଖଣି ନିଲାମ କରାଯାଉଛି। ତେଣୁ ଶ୍ରମିକମାନଙ୍କ ଦ୍ବାରା ଉତ୍ପାଦିତ ଓ ଖଣିରେ ଗଚ୍ଛିତ ଥିବା ୨୦ ହଜାର ଟନ୍‌ରୁ ଅଧିକ ଲୁହା ପଥରକୁ ବିକ୍ରି କରି ଶ୍ରମିକମାନଙ୍କର ବାକି ଥିବା ୫୦ କୋଟିରୁ ଊଦ୍ଧର୍‌ବ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବାକୁ ଦାବି କରିଛନ୍ତି। ଯଦି ନିଲାମ ପୂର୍ବରୁ ଶ୍ରମିକମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରା ନ ଯାଏ ତେବେ ତେବେ ବାଧ୍ୟ ଶ୍ରମିକମାନେ ଅନଶନ କରିବା ସହ ନୂତନ ଲିଜଧାରୀ କମ୍ପାନୀ ଖଣି କାର୍ଯ୍ୟ ପରିଚାଳନା କରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଏଆଇଟିୟୁସିର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ୟୁନିୟନର ସାଧାରଣ ସମ୍ପାଦକ ମହେଶ୍ବର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ୟୁନିୟନର ଉପସାଧାରଣ ସମ୍ପାଦକ କପିଳ ମହାନ୍ତି, ସାଥୀ କାହ୍ନୁ ସାମଲ, ଶ୍ରୀହରି ଘଣା, ହୃଦାନନ୍ଦ ପାତ୍ର, ବିରଞ୍ଚି ଦେହୁରୀ, ମାର୍କଣ୍ଡ ଦେହୁରୀ, ଖଗେଶ୍ବର ମହାନ୍ତ, ବଦ୍ରୁ ଜାମା, ରାଜାରାମ ମୁଣ୍ଡା, ବାଗ୍ରା ଚାତାର ପ୍ରମୁଖ ଯୋଗ ଦେଇଥିଲେ।

Share
Tags: labour