ତିହିଡ଼ି,୧ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ସ୍ବାସ୍ଥ୍ୟକର୍ମୀ, ସୁପରଭାଇଜର ଓ ଆଶାକର୍ମୀମାନେ ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବ୍ଲକ ପ୍ରକଳ୍ପ ପରିଚାଳକ(ବିପିଏମ)ଶାନ୍ତିଲତା ମିଶ୍ରଙ୍କ ବଦଳି ପ୍ରତିବାଦରେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ବଦଳି ବାତିଲ ନ ହେବା ଯାଏ ସେମାନେ ଆନ୍ଦୋଳନ ଚାଲୁ ରଖିବେ ବୋଲି ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ତିହିଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବିପିଏମ୍ ମିଶ୍ରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଜଣେ ନୂଆ ବିପିଏମଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ନୂଆ ବିପିଏମ୍ ସୋମବାର କାର୍ଯ୍ୟରେ ଯୋଗଦେବାକୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ବେଳେ ଆନ୍ଦୋଳନକାରୀମାନେ ତାଙ୍କୁ ବିରୋଧ କରି ଯୋଗଦେବାକୁ ଦେଇ ନ ଥିଲେ। ଅପରପକ୍ଷେ ବିପିଏମ ମିଶ୍ରଙ୍କ ବଦଳି ବେଆଇନ ଦର୍ଶାଇ ଆନ୍ଦୋଳନ କରାଯାଇଥିବା ଜଣାଯାଇଛି। ଆନ୍ଦୋଳନକାରୀମାନେ ଉପରତାଲାକୁ ଯାଇଥିବା ଶିଡ଼ି ପାହାଚକୁ ଅବରୋଧ କରିଥିବାରୁ ଉପର ତାଲାରେ ଥିବା କାର୍ଯ୍ୟାଳୟକୁ କୌଣସି ସ୍ବାସ୍ଥ୍ୟ କର୍ମଚାରୀ ଯାଇ ପାରି ନ ଥିବାରୁ କାର୍ଯ୍ୟାଳୟ ବନ୍ଦ ଥିବା ଜଣାଯାଇଛି।