ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ବଢୁଥିବା ବେଳେ ସେମାନଙ୍କ ପରିବାର ନଷ୍ଟ ହେଉଥିବା କହିଛନ୍ତି ମହିଳା।
ଧର୍ମଶାଳା ଅବକାରୀ ଥାନା ନିକଟରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ଗାଁ ମଧ୍ୟରେ ଘରେ ଘରେ ବେଆଇନ ଭାବେ ଚୋରାମଦ ବିକ୍ରି ଦିନ ରାତି ଚାଲିଛି। ଯାହା ଫଳରେ ସେମାନଙ୍କ ପରିବାରର ପୁରୁଷମାନେ ମଦ ପିଇ ମାତାଲ ହେବା ସହ ଘରେ ମାଡ଼ ପିଟ୍ଠାରୁ ଆରମ୍ଭ କରି ଜିନିଷପତ୍ର ଭଙ୍ଗାରୁଜା କରୁଛନ୍ତି। ଶହଶହ ପରିବାର ନଷ୍ଟ ହୋଇଯାଉଛି। ଅବକାରୀ ବିଭାଗର ଢିଲା ମନୋଭାବ ପାଇଁ ଗାଁ ଗାଁରେ ଖୁଲମଖୁଲା ମଦ ବେପାର ହେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏହା ପ୍ରତିବାଦରେ ମହିଳାମାନେ ଧାରଣା ଦେବା ସହ ତୁରନ୍ତ ବନ୍ଦ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।