ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ ସଭ୍ୟା, ସରପଞ୍ଚ, ସମିତି ସଭ୍ୟାମ୍ସଭ୍ୟ ଏବଂ ଓ୍ବାର୍ଡସଭ୍ୟ ପ୍ରମୁଖ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି।
ସୂଚନା ମୁତାବକ, ସ୍ଥାନୀୟ ବ୍ଲକ ପ୍ରଶାସନ ପଞ୍ଚାୟତ ସ୍ତରର ଜନପ୍ରତିନିଧିମାନଙ୍କୁ ଅଣଦେଖା କରି ନିଜ ମନମୁତାବକ କାର୍ଯ୍ୟ କରୁଥିବା ଏବଂ ପଞ୍ଚାୟତସ୍ତରରୁ ଆସୁଥିବା ପ୍ରସ୍ତୁତ ଯୋଜନାକୁ ଗୁରୁତ୍ୱ ଦେଉ ନ ଥିବା ସହ ପ୍ରକୃତ ହିତାଧିକାରୀ ଚିହ୍ନଟ ନକରି ନିଜ ଇଛା ମୁତାବକ ଆବାସ ଗୃହ ବଣ୍ଟନ ସହ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି। ଅଫିସର୍ ରାଜକୁ ଦୃଢ଼ ଭାବେ ନିନ୍ଦା କରି ଦୁଇରୁ ତିନିଟି ଠିକାଦାରଙ୍କୁ ଗୁରୁତ୍ୱ ଦେଇ ପଞ୍ଚାୟତ ସ୍ତରର ଜନପ୍ରତିନିଧି କାହା ଇଙ୍ଗିତରେ ଅଣଦେଖା କରାଯାଉଛି ବୋଲି ପ୍ରଶ୍ନ ଉଠାଇଥିଲେ। ଏହିପରି କି କାର୍ଯ୍ୟରତ ବିଡିଓ ଲୋକଙ୍କ ସମସ୍ୟା କେତେ ସମାଧାନ କରିଛନ୍ତି ବୋଲି ଦାବି ଉଠାଇ ପଞ୍ଚାୟତ ସ୍ତରରେ ବ୍ଲକ ପ୍ରଶାସନ ପକ୍ଷରୁ ହେଉଥିବା ଜନଶୁଣାଣି ନାମକୁମାତ୍ର ହେଉଛି। ବର୍ତ୍ତମାନର ବିଡିଓ କାର୍ଯ୍ୟରେ ଯୋଗ ଦେବାର ୧୧ ମାସରେ କି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ବୋଲି ମୁତୟନ ପୋଲିସ ପ୍ରଶାସନ ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ନିୟୋଜିତ ହୋଇଥିବା ତହସିଲଦାର ଦେବବ୍ରତ କରାତିଙ୍କୁ ପ୍ରଶ୍ନ କରି ଆମେ ବିଡିଓଙ୍କୁ ସାକ୍ଷାତ କରିବାକୁ ଚାହୁଁନାହୁଁ। ଯାହା କହିବାର ଅଛି ଧାରଣାସ୍ଥଳେ ଆସି ଆମ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ଦାବି କରି ହୋ-ହଲ୍ଲା କରିଥିଲେ। ସେପଟେ ବ୍ଲକ ଫାଟକ ସମୁଖରେ ଟେଣ୍ଟ ଲଗାଇବା ପାଇଁ ଅନୁମତି ଆଣି ନ ଥିବାରୁ ପୋଲିସ ଟେଣ୍ଟ ଲଗାଇବାକୁ ମନା କରିଥିବାରୁ ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟାସଭ୍ୟମାନଙ୍କ କ୍ଷେତ୍ରରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ନିୟୋଜିତ ହୋଇଥିବା ତହସିଲଦାର କରାତି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଧାରଣାରତ ଜିଲାପରିଷଦ ସଭ୍ୟାସଭ୍ୟ, ସମିତି ସଭ୍ୟାସଭ୍ୟଙ୍କୁ ବୁଝାଶୁଝା କରିବା ପରେ ଧାରଣାରୁ ଉଠିଛନ୍ତି। ଜିଲାପରିଷଦ ସଭ୍ୟ ଲଇଚନ ଖରା ଉପସ୍ଥିତ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଲିଖିତ ଦାବି ଉପରେ ଯଦି ଗୁରୁତ୍ୱ ଦିଆ ନ ଯାଏ ତେବେ ଆଗାମୀ ଦିନରେ ଜନଆନ୍ଦୋଳନ କରିବାକୁ ପଛାଇବାକୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି।