ଭୁବନେଶ୍ୱର,୩ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ନୂଆ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି)ର ନିର୍ବାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏସଂକ୍ରାନ୍ତରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ୧୮ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।
ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ନୂତନ ଏନ୍ଏସି ଏବଂ ପୌରପାଳିକାଗୁଡ଼ିକର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ସହିତ ଆସନ ସଂରକ୍ଷଣ ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶକ ଡାକୁଆ ସୋମବାର ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ନୟାଗଡ଼, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏନେଇ ସରକାରଙ୍କୁ ଓଡ଼ିଶା ପୌରପାଳିକା ଆଇନ-୧୯୫୦ ଅନୁଯାୟୀ ଅବଗତ କରାଯିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉକ୍ତ ନୂତନ ଏନ୍ଏସି ଏବଂ ପୌରପାଳିକାରେ ସୀମା ନିର୍ଦ୍ଧାରଣ ସହିତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ। ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ପକ୍ଷରୁ ଯେଉଁ ଆପତ୍ତି ଏବଂ ପରାମର୍ଶ ଆସିବ ଜିଲା ପ୍ରଶାସନ ତାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଆବଶ୍ୟକ। ଯଦି ଏସଂକ୍ରାନ୍ତରେ କୌଣସି ଅଭିଯୋଗ ଆସେ ତେବେ ଜିଲାପାଳ ତୁରନ୍ତ ତାହାକୁ ସ୍ବତନ୍ତ୍ର ବାର୍ତ୍ତାବହ ମାଧ୍ୟମରେ ପ୍ରେରଣ କରିବେ। ଏନେଇ ମାର୍ଚ୍ଚ ୧୫ରେ ଖାରବେଳ ଭବନରେ ଶୁଣାଣି କରାଯିବ ବୋଲି ଡାକୁଆ ଦର୍ଶାଇଛନ୍ତି।
ଏଥିସହିତ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ପ୍ରକାର ନିର୍ବାଚନ ବିଜ୍ଞପ୍ତି ପ୍ରକ୍ରିୟା ସାରିବାକୁ ହେବ। ଏହାପୂର୍ବରୁ ଚଳିତ ମାସ ୧୨ରୁ ୨୧ ତାରିଖ ମଧ୍ୟରେ ନୂତନ ଏନ୍ଏସି ଏବଂ ଓ୍ବାର୍ଡଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ କରିବାକୁ ହେବ। ଓଡ଼ିଶା ମ୍ୟୁନିସିପାଲ ଆଇନ-୧୯୫୦ ଅନୁଯାୟୀ, ନୂତନ ଏନ୍ଏସି ଏବଂ ପୌରପାଳିକାର ସୀମା ନିର୍ଦ୍ଧାରଣ ସହିତ ଆସନ ସଂରକ୍ଷଣ ନେଇ ବିଜ୍ଞପ୍ତି ଜାରି କରାଯିବ। ଏନେଇ ଆପତ୍ତି ଅଭିଯୋଗ ଗ୍ରହଣର ଶେଷ ତାରିଖ ଫେବ୍ରୁଆରୀ ୨୧ ରହିଛି। ଏହାପରେ ସମ୍ପୃକ୍ତ ନୂତନ ଏନ୍ଏସି ଏବଂ ପୌରପାଳିକାଗୁଡ଼ିକର ପ୍ରୋଭିଜ୍ନାଲ ବିଜ୍ଞପ୍ତି ୨୬ରେ ପ୍ରକାଶ ପାଇବ। ୨୬ରୁ ମାର୍ଚ୍ଚ ୧୩ ଯାଏ ପ୍ରକାଶିତ ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ ଗ୍ରହଣ କରାଯିବ। ମାର୍ଚ୍ଚ ୧୬ରୁ ୨୮ ତାରିଖ ମଧ୍ୟରେ ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନର ଶୁଣାଣି କରାଯିବା ପରେ ମାର୍ଚ୍ଚ ୩୧ରେ ଜିଲାପାଳଙ୍କ ପକ୍ଷରୁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଡାକୁଆ ଦର୍ଶାଇଛନ୍ତି।