ଭୁବନେଶ୍ୱରର ଏହି ମେଡିକାଲରେ ନର୍ସଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ମେଡିକାଲ ଆସିଷ୍ଟାଣ୍ଟଙ୍କ ବିରୋଧରେ ଏତଲା

ଭୁବନେଶ୍ୱର,୫।୧୧: ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ବରିଷ୍ଠ ଷ୍ଟାଫ୍ ନର୍ସଙ୍କୁ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ, ବଳାତ୍କାର ଧମକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗତ ଅକ୍ଟୋବର ୨୫ ତାରିଖରେ ଏହି ଘଟଣା ଘଟିଥିବା ବେଳେ ମହିଳା ଜଣକ ଆଜି ଏତଲା ଦେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।

ଅଭିଯୋଗ ଅନୁଯାୟୀ, ନର୍ସିଂହୋମର ଜଣେ ନ୍ୟୁରୋଲୋଜି ମେଡିକାଲ ଆସିଷ୍ଟାଣ୍ଟ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ମାନସିକ ନିର୍ଯାତନା ଦେଇଥିଲେ। ପୂର୍ବରୁ ଏକ ଅସ୍ତ୍ରୋପଚାରକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଉକ୍ତ ଆସିଷ୍ଟାଣ୍ଟ୍ ଏବଂ ଅନ୍ୟ କିଛି ସହକର୍ମୀ ତାଙ୍କ ଉପରେ ରାଗ ରଖିଥିବା କର୍ମଚାରୀ ଜଣକ କହିଛନ୍ତି।

ପୀଡ଼ିତା କହିଛନ୍ତି ଯେ, ଅଭିଯୁକ୍ତ ଏବଂ ତାଙ୍କ ସହକର୍ମୀମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏହି ଘଟଣାକୁ ପ୍ରକାଶ କଲେ ଅପହରଣ, ବଳାତ୍କାର ଏବଂ ଗୁଳି ମାରିଦେବାକୁ ଧମକ ଦେଇଥିଲେ।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ସେ ଘଟଣା ସମ୍ପର୍କରେ ଜଣାଇବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କ ସହ ମିଶି ତାଙ୍କ ଦରମା ବନ୍ଦ କରିଦେଲେ ଏବଂ ତାଙ୍କୁ ଚାକିରି ଛାଡ଼ିବାକୁ କହିଲେ। ଘଟଣାକୁ ସପ୍ତାହେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ହସ୍ପିଟାଲର ଆଭ୍ୟନ୍ତରୀଣ କମିଟି (Internal Committee) ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କ ଏତଲା ଭିତ୍ତିରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତା ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଅତୀତରେ ମଧ୍ୟ ହସ୍ପିଟାଲର ଅନେକ ଜୁନିଅର ଷ୍ଟାଫ୍ ନର୍ସଙ୍କୁ ସମାନ ପ୍ରକାରର ନିର୍ଯାତନାର ସାମ୍ନା କରିବାକୁ ପଡ଼ିଥିଲା।

Share