ଶିକ୍ଷୟିତ୍ରୀଙ୍କୁ ଅସୌଜନ୍ୟ ବ୍ୟବହାର କରିବା ପ୍ରଧାନଶିକ୍ଷକଙ୍କୁ ପଡିଲା ମହଙ୍ଗା, ଜୋତା ମାଡ଼ ଖାଇ…

ହାଟଡିହୀ,୯l୩(ଶୁଭକାନ୍ତ ନାୟକ): ଜଣେ ଶିକ୍ଷୟିତ୍ରୀଙ୍କୁ ନିଜ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ମହଙ୍ଗା ପଡିଲା । ସମ୍ପୃକ୍ତ ପ୍ରଧାନଶିକ୍ଷକ ଜଣଙ୍କ ଶିକ୍ଷୟିତ୍ରୀଙ୍କ ଠାରୁ ପ୍ରଥମେ ଜୋତାରେ ମାଡ଼ ଖାଇ ପରେ ସସ୍‌ପେଣ୍ଡ ହୋଇଛନ୍ତି । ଏପରି ଘଟଣା ସମ୍ପୃକ୍ତ ଶିକ୍ଷା ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ, ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ ହୋଇଛି। କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ମିଠିଗାଁ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ (ବାବୁଲା) ବେହେରା ଜଣେ ଶିକ୍ଷୟିତ୍ରୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ସସ୍‌ପେଣ୍ଡ ହୋଇଛନ୍ତି । ହାଟଡିହୀ ବିଇଓ ରାଜୀବ ଦଳେଇ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ସସ୍‌ପେଣ୍ଡ କରିଛନ୍ତି । ଏନେଇ ପ୍ରଧାନଶିକ୍ଷକ ହରେକୃଷ୍ଣ ବେହେରା କହିଛନ୍ତି ଯେ, ହାଟଡିହୀ ବିଇଓ ସୋମବାର ମତେ ସସ୍‌ପେଣ୍ଡ କରିଛନ୍ତି ଏବଂ ସସ୍‌ପେଣ୍ଡ ସମ୍ପର୍କିତ ନିର୍ଦ୍ଦେଶ ପତ୍ର ମତେ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଶନିବାର ବିଦ୍ୟାଳୟ ଛୁଟି ହେବା ପରେ ଏକୁଟିଆର ସୁଯୋଗ ନେଇ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିଲେ । ଅଭିଯୋଗ ହେବା ପରେ ହାଟଡିହୀ ବିଇଓ ରାଜୀବ ଦଳେଇ ଆଇସିସି (ଇଣ୍ଟରନାଲ କପ୍ଲାଣ୍ଟ କମିଟି)କମିଟି ଜରିଆରେ ତଦନ୍ତ ରିପୋର୍ଟ ମଗାଇଥିଲେ । ଅପରପକ୍ଷେ ଘଟଣାର ସମ୍ପର୍କରେ ବିଦ୍ୟାଳୟ କମିଟି ଏବଂ ଗ୍ରାମର ବରିଷ୍ଠ ବ୍ୟକ୍ତିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଲୋଚନା ଚାଲୁଥିବା ବେଳେ ଶିକ୍ଷୟିତ୍ରୀ ଜଣଙ୍କ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଜୋତାରେ ନିଧୂମ୍‌ ପିଟିଥିଲେ। ପରେ ବୈଠକ ଜରିଆରେ ଆପୋଷ ମିଳାମିଶାରେ ଘଟଣା ସମାଧାନ ହୋଇଥିଲା ।

Dharitri – Odisha’s No.1 Odia Daily

Share