ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଏୟାରପୋର୍ଟରେ ପହଞ୍ଚିଛନ୍ତି। ଏୟାରପୋର୍ଟରୁ ବାହାରି ଜନତା ମଇଦାନ ଯିବାର କାର୍ଯ୍ୟକ୍ରମ ରହିଛି।
ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୫ରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଗସ୍ତରେ ଆସିଛନ୍ତି। ସକାଳ ୮.୩୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ବାୟୁସେନା ବିମାନ ଯୋଗେ ବାହାରି ପୂର୍ବାହ୍ନ ୧୦.୩୫ ମିନିଟ୍‌ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇଥିଲେ। ପୂର୍ବାହ୍ନ ୧୦.୫୫ରେ ସେ ଜନତା ମୈଦାନରେ ପହଞ୍ଚିବେ। ପୂର୍ବାହ୍ନ ୧୧.୦୦ରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ କନ୍‌କ୍ଲେଭରେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଭାଜପା ପକ୍ଷରୁ ବିମାନବନ୍ଦରଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ଲୋକଙ୍କୁ ଏକାଠି କରାଯାଇଛି।
ଗତ ୭ ମାସରେ ମୋଦି ଓଡ଼ିଶାକୁ ସର୍ବାଧିକ ୫ଥର ଆସିଥିବାରୁ ଭାଜପା ପକ୍ଷରୁ ଏହି ଭବ୍ୟ ସମ୍ବର୍ଦ୍ଧନା ଦେବା ଲାଗି ଯୋଜନା କରାଯାଇଛି। ମଧ୍ୟାହ୍ନ ୧୨.୫୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମସ୍ଥଳ ଓ ତାଙ୍କର ଯିବାଆସିବା ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ସହରରେ ସୁରକ୍ଷା କଡ଼ାକଡ଼ି ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ କାରକେଡ୍‌ କରାଯାଇଛି।

 

Share