ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରତି ଆକର୍ଷଣ କରିବା ପାଇଁ ଖାତା, ବହି, ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ହେଲେ ଛାତ୍ରୀଛାତ୍ରଙ୍କୁ ଯେଭଳି ଗୁଣାତ୍ମକ ଶିକ୍ଷା ମିଳିବା କଥା, ତାହା ବାସ୍ତବକ୍ଷେତ୍ରରେ ହୋଇପାରୁନାହିଁ। କେଉଁଠି ଶିକ୍ଷକ ତ ଆଉ କେଉଁଠାରେ ପ୍ରଧାନ ଶିକ୍ଷକ ପଦବୀ ଖାଲିପଡ଼ିଛି। ସେହିପରି ଅନେକ ବ୍ଲକରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ(ଏବିଇଓ) ପଦବୀ ଖାଲିରହିଛି। ଏଥିଯୋଗୁ ପିଲାଙ୍କ ଭବିଷ୍ୟତ ଓ ପାଠପଢ଼ାକୁ ନେଇ ଅଭିଭାବକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟରେ ୧ଲକ୍ଷ ୩୫ହଜାର ୬୫୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଛି। ସେଥିମଧ୍ୟରୁ ୧ ଲକ୍ଷ ୧୮ ହଜାର ୬୮୩ଟି ପଦବୀ ପୂରଣ ହୋଇଥିବାବେଳେ ୧୬ହଜାର ୯୭୩ଟି ଖାଲିପଡ଼ିଛି। ସେହିପରି ଏବିଇଓ ପାଇଁ ୯୪୮ଟି ଅନୁମୋଦନ ପଦବୀ ରହିଥିଲେ ହେଁ କେବଳ ୫୨୧ଟି ପଦବୀ ପୂରଣ ହୋଇଛି। ଅବଶିଷ୍ଟ ୪୨୭ଟି ପଦବୀ ଖାଲି ରହିଥିବା ବିଭାଗୀୟ ତଥ୍ୟରୁ ଜଣାପଡ଼ିଛି।
ଏପରିକି ଲେଭଲ-୫(ବି) ବରିଷ୍ଠ ଶିକ୍ଷକ ପାଇଁ ସରକାରଙ୍କ ପକ୍ଷରୁ ୩୩,୩୯୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ୨୨,୨୩୯ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ୧୧,୧୫୯ ପଦବୀ ଖାଲିରହିଛି। ସେହିପରି
ଲେଭଲ-୪ ଗ୍ରାଜୁଏଟ ଟିଚର (ବିଜ୍ଞାନ)ରେ ୧୭,୬୯୬ଟି ଅନୁମୋଦିତ ଶିକ୍ଷକ ପଦବୀ ରହିଛି। ସେଥିରୁ ୩୩୦୫ଟି ପଦବୀ ପୂରଣ ହୋଇଥିବାବେଳେ ୧୪,୩୯୧ଟି ଖାଲି ଅଛି। ଲେଭଲ-୪ ଗ୍ରାଜୁଏଟ ଟିଚର (କଳା)ରେ ୧୭,୬୯୬ଟି ଅନୁମୋଦିତ ଶିକ୍ଷକ ପଦବୀରୁ ୧୦,୭୦୬ଟି ପଦବୀରେ ଶିକ୍ଷକ ଥିବା ବେଳେ ୬୯୯୦ଟି ପଦ ଖାଲିରହିଛି। ଲେଭଲ-୪ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିମନ୍ତେ ଅନୁମୋଦିତ ୧୫,୭୭୨ଟି ପଦବୀ ମଧ୍ୟରୁ ୯,୧୫୮ଟିରେ ଶିକ୍ଷକ ଥିବାବେଳେ ୬,୬୧୪ଟି ପଦ ଖାଲି ରହିଛି। ସେହିପରି ଲେଭଲ-୩ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ପାଇଁ ୧୭,୬୯୬ଟି ପଦବୀରୁ ୪୦୬୪ଟି ପୂରଣ ହୋଇଥିବା ବେଳେ ୧୩,୬୩୨ଟି ପଦବୀ ଶୂନ୍ୟ ପଡ଼ିଛି। ଲେଭଲ-୩ ପ୍ରାଥମିକ ସ୍କୁଲର ବରିଷ୍ଠ ପ୍ରଧାନ ଶିକ୍ଷକ ପଦବୀ ୧୦୭୩ଟି ମଧ୍ୟରୁ ୨୯୮ଟି ପୂରଣ ହୋଇଥିବା ବେଳେ ୭୭୫ଟି ଖାଲି ପଡ଼ିଛି।
ସୂଚନା ମୁତାବକ, ରାଜ୍ୟରେ ମୋଟ ୪୧,୩୪୨ଟି ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିରୁ ୨୬,୪୫୪ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ହୋଇଥିବାବେଳେ ୧୪,୮୮୮ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଥିସହ ରାଜ୍ୟରେ ୩,୯୯୨ଟି ବେସରକାରୀ ବିଦ୍ୟାଳୟ ଚାଲିଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକସ୍ତରରେ ୧ଲକ୍ଷ ୬୧ହଜାର ୨୫୬ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ମୋଟ ୫୩ ଲକ୍ଷ ୭୬ହଜାର ୫୫୬ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ଏଥିସହ ୪,୫୫୯ ଜଣ ସିଆର୍‌ସିସି ଶିକ୍ଷା ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି।

 

Dharitri – Odisha’s No.1 Odia Daily