ଭବାନୀପାଟଣା,୧୪।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ରେଞ୍ଜରେ ଅନୁକମ୍ପା ମୂଳକ ବନୀକରଣ ଯୋଜନା (କାମ୍ପା ସିଏ) ଟଙ୍କା ଆମତ୍ସାତ ହୋଇଥିବା ଅଭିଯୋଗ ଆସିଥିଲା। ଏହାକୁ ନେଇଁ ଭିଜିଲାନ୍ସ ବିଭାଗର ୪ଟି ଟିମ୍ ର ୨୫ ଅଧିକାରୀ ତଦନ୍ତ ଓ ଯାଞ୍ଚ କରିବା ପରେ ଘଟଣାର ସତ୍ୟତା ଜାଣିପଡିଥିଲା। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ସ୍ଥାନୀୟ ଜୟପାଟଣା ରେଞ୍ଜର ଡେପୁଟି ରେଞ୍ଜର ଶୈରେନ୍ଦ୍ରି ବାଗ, ଫରେଷ୍ଟର ଉମେଶ ରାଉତ, ଦେବରାଜ ସୁନାନୀ, ଫରେଷ୍ଟଗାର୍ଡ ଅଶୋକ କୁମାର ସାହୁ ଓ ଲଲିତ ନାଏକଙ୍କୁ ଗିରଫ କରିଛି।
ଗତ ୨୦୨୩/୨୪ ଆର୍ଥିକ ବର୍ଷରେ ଉପରୋକ୍ତ ଯୋଜନାରେ ସେମାନେ ଜୟପାଟଣା ରେଞ୍ଜର ଚମ୍ପାଚୁଆଁ ଓ ଖମାରପଦରରେ ହୋଇଥିବା ଅନୁକମ୍ପା ମୂଳକ ବନୀକରଣ ଯୋଜନାରେ ୭୯ଲକ୍ଷ ୫୪ହଜାର ୬୩୫ଟଙ୍କା ଆମତ୍ସାତ କରିଥିବା ବିଭାଗ ପକ୍ଷରୁ ଜଣାପଡିଛି। ବନୀକରଣ ଯୋଜନାର ଟଙ୍କାକୁ ସେମାନେ କାମ କରି ନ ଥିବା ଶ୍ରମିକଙ୍କ ଆକାଉଣ୍ଟରେ ପକାଇ ପରବର୍ତ୍ତୀ ସମୟରେ ସେହି ଟଙ୍କାକୁ ସେମାନେ ଆମତ୍ସାତ କରିଥିବା ସୂଚନା ମିଳିଛି। ଏ ନେଇଁ କୋରାପୁଟ ଭିଜିଲାନ୍ସ ବିଭାଗରେ ଏକ ମାମଳା (ନଂ.୧୯/୨୫) ରୁଜୁ ହୋଇଛି। ଏହି ଚଢାଉରେ କୋରାପୁଟର ଓ କଳାହାଣ୍ଡି ଭିଜିଲାନ୍ସ ଟିମ୍ ସାମିଲ ହୋଇଥିଲା।