ବାରବାଟୀରେ ପୂର୍ବ ସରକାର ଟଙ୍କାକର କାମ କରିନାହାନ୍ତି: ମନ୍ତ୍ରୀ ସୂରଜ

ଭୁବନେଶ୍ୱର,୧୧।୨(ବନ୍ଦନା ସେଠୀ): ବାରବାଟୀରେ ଅନୁଷ୍ଠିତ କ୍ରିକେଟ୍‌ ମ୍ୟାଚ୍‌ରେ ବିଭ୍ରାଟ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଏନେଇ ବିରୋଧୀ ଏବଂ ଶାସକ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ। ଘଟଣାକୁ ସବୁଆଡୁ ନିନ୍ଦା କରାଯାଉଥିବାବେଳେ, ଏନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବାରବାଟୀ ଏକ ଐତିହ୍ୟସମ୍ପନ୍ନ ଷ୍ଟାଡିୟମ।

ଏଥିରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇ ପଳେଇଲେ, ମାତ୍ର ଟଙ୍କାଟିଏର କାମ କରିନାହାନ୍ତି। ପୂର୍ବ ସରକାର କିଛି କାମ କରିଛି ବୋଲି ଆମ ସରକାର ଭାବିଥିଲା। ମାତ୍ର ଦେଖିଲା ବେଳକୁ ଅମାର ଘର ଶୂନ। ଫଳରେ ଏଭଳି ଏକ ଅଘଟଣ ଘଟିଗଲା। ଘଟଣାର ଗୁରୁତ୍ୱକୁ ଦେଖି ତୁରନ୍ତ ସ୍ପଷ୍ଟୀକରଣ ମଗାଯାଇଛି। ଯେଉଁ ସବ୍‌କମିଟି ଦାୟିତ୍ୱରେ ଥିଲା ସେ ଉତ୍ତର ଦେବ ବୋଲି ମନ୍ତ୍ରୀ କହିଛନ୍ତି। ଅନୁରୂପଭାବେ କଟକ ସଦର ବିଧାୟକ ପ୍ରକାଶ ସେଠୀ କହିଛନ୍ତି, ବାରବାଟୀରେ ଯେଉଁ ବିଭ୍ରାଟ ଘଟିଲା, ତାହା ଏକ ଦୁର୍ଘଟଣା ଥିଲା। ଏହା ପୂର୍ବ ସରକାରଙ୍କ ଇତିହାସକୁ ଦର୍ଶାଉଛି।

ଅପରପକ୍ଷେ କ୍ରିକେଟ୍‌ ମ୍ୟାଚ୍‌ରେ ଟିକେଟ କଳାବଜାର ନେଇ ମଧ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ୍‌ କରିଛନ୍ତି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସାଧାରଣ ଲୋକେ ଦିନଦିନ ଧରି ବାହାରେ ଛିଡ଼ାହୋଇ ଟିକେଟ ଅପେକ୍ଷାରେ ରହିଲେ। କିଛି ଲୋକ ଖରାରେ ରହି ବେହୋସ ମଧ୍ୟ ହୋଇଛନ୍ତି। ଟିକେଟ ଅନେକ ମାତ୍ରାରେ ଏପରିକି କମ୍ପ୍ଲିମେଣ୍ଟାରି ଟିକେଟ ମଧ୍ୟ କଳାବଜାରରେ ବିକ୍ରି ହୋଇଛି। ଏତେ ପରିମାଣର ପାସ୍‌ ଦେବା ଦ୍ୱାରା ଏ ବିଭ୍ରାଟ ହୋଇଥିବା ପ୍ରସନ୍ନ ଅଭିଯୋଗ କରିଛନ୍ତି। ସେହିପରି ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଟିକେଟ କିମ୍ବା କଳାବଜାରି ହେବା କେବେ ବି ଗ୍ରହଣୀୟ ନୁହେଁ। ଏନେଇ ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଅଭିଯୁକ୍ତ ଧରା ପଡିଛନ୍ତି। ଆଗାମୀ ଦିନରେ ଆହୁରି ବ୍ୟବସ୍ଥିତ ଢଙ୍ଗରେ ବାରବାଟୀରେ ମ୍ୟାଚ କରିବାକୁ ବ୍ୟବସ୍ଥା ହେଉଥିବା କ୍ରୀଡ଼ାମନ୍ତ୍ରୀ ମତ ରଖିଛନ୍ତି।