ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୨ା୨: ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ। ୫ ଜିଲାରେ ୬ ଦିନ ରହଣି କରିବେ ରାଷ୍ଟ୍ରପତି। ଏହି ୬ ଦିନରେ ରାଷ୍ଟ୍ରପତିଙ୍କ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଯାଜପୁରରେ ମା’ ବିରଜାଙ୍କ ଦର୍ଶନ, ନାଭିଗୟାରେ ପିଣ୍ଡଦାନ କରିବେ। ପୁରୀ ଶ୍ବେତଗଙ୍ଗାରେ ପିଣ୍ଡଦାନ ସହ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ମୁତାବକ, ଆଜି ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ରାତ୍ରିଯାପନ କରିବେ। ୩ରେ ସେ ଫକୀରମୋହନ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ୪ ତାରିଖରେ ଯାଜପୁରରେ ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ କରିବେ। ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲାରେ ତାଙ୍କର ଏକାଧିକ କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତି ଆସୁଥିବାରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିମାନବନ୍ଦରରୁ ଲୋକଭବନ ଓ ଲୋକସେବା ଭବନ, ମେ’ଫେୟାର ପର୍ଯ୍ୟନ୍ତ ଗସ୍ତ ରୁଟ୍‌ର ବିଭିନ୍ନ ସ୍ଥାନରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ବ୍ୟବସ୍ଥା ହୋଇଛି। ବ୍ଲୁ ବୁକ୍‌ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଦାୟିତ୍ୱରେ ୪ଜଣ ଡିସିପି, ୫ଜଣ ଅତିରିକ୍ତ ଡିସିପି, ୨୩ଜଣ ଏସିପି ଓ ୩୩ଜଣ ଇନ୍ସପେକ୍ଟର ରହିଛନ୍ତି। ରାଷ୍ଟ୍ରପତିଙ୍କ ଯାତାୟାତ ପଥରେ ରହିଥିବା ଉଚ୍ଚ ଅଟାଳିକାଗୁଡିକରେ ଜଗିବେ ବନ୍ଧୁକଧାରୀ ପୋଲିସ। ଏହାସହ ସହରର ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ। ଏଥିସହ କାରକେଡ୍‌ ରିହର୍‌ସାଲ କରାଯାଇଛି। ଏହି ରିହର୍‌ସାଲ ବିମାନ ବନ୍ଦରରୁ ଲୋକଭବନ ଏବଂ ଲୋକଭବନରୁ ଲୋକସେବା ଭବନ ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ ଆମ୍ବୁଲାନ୍ସ, ଡାକ୍ତର, ଫାୟାର ଓ ଅନ୍ୟ ଟିମ୍‌ ସାମିଲ ରହିଛନ୍ତି।
ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଦାୟିତ୍ୱରେ ୬ ଜଣ କମାଣ୍ଡାଣ୍ଟ ର଼୍ୟାଙ୍କ୍‌ର ଅଫିସର ରହିବେ। ତାଳବଣିଆ ହେଲିପ୍ୟାଡଠାରୁ ଆରମ୍ଭ କରି ଲୋକଭବନ, ଶ୍ୱେତଗଙ୍ଗା ପୁଷ୍କରିଣୀ, ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଟ୍ରାଫିକ ଉପରେ ମଧ୍ୟ କଟକଣା ରହିବ ବୋଲି ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି। ସୂଚନାନୁସାରେ, ୪ ତାରିଖ ସକାଳେ ପୁରୀ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ। ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିସହ ରାଷ୍ଟ୍ରପତିଙ୍କ ଗଞ୍ଜାମ ଓ ବାଲେଶ୍ୱର ଗସ୍ତ ପାଇଁ ୪୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ଦିଆଯାଇଛି।

Dharitri –Odisha’s No.1 Trusted Odia Daily

Share