କଟକ,୨୫।୪: ଡାକ୍ତର ଦାମୀ ମେଡ଼ିସିନ ଲେଖିବା କୌଣସି ଅପରାଧ ନୁହେଁ। ଏସବୁ କଲେ ଡାକ୍ତରଙ୍କ ବରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ ନାହିଁ। ଏପରି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ବିଶେଷକରି ଯଦି କୌଣସି ଡାକ୍ତର ଦାମୀ ମେଡିସିନ ଲେଖୁଥିଲେ ,କିମ୍ବା କୌଣସି ମେଡିସିନ କମ୍ପାନୀ ଦ୍ୱାରା ଆୟୋଜିତ ସେମିନାରରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଦୋଷୀ କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏଥି ସହ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ରର ଡାକ୍ତର ଦମ୍ପତି ପ୍ରଫେସର ଡାକ୍ତର ସୁରେନ୍ଦ୍ରନାଥ ସେନାପତି ଏବଂ ଡାକ୍ତର ଦୀପ୍ତିରାଣୀ ସାମନ୍ତଙ୍କ ବିରୋଧରେ ରୁଜୁ ଭିଜିଲାନ୍ସ ମାମଲାକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି କୋର୍ଟ।
୨୦୧୬ ମସିହାରେ ଡାକ୍ତର ଦମ୍ପତ୍ତିଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ତେବେ ଭିଜିଲାନ୍ସ ମାମଲାକୁ ଚାଲେଞ୍ଜ କରି ଉଭୟ ଡାକ୍ତର ଦମ୍ପତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ , ଏହି ମାମଲାରେ କୌଣସି ପ୍ରାଥମିକ ତଦନ୍ତ ବିନା ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଯେକୌଣସି ଘଟଣାରେ ପ୍ରାଥମିକ ତଦନ୍ତ କରାଯିବା ବାଧ୍ୟତାମୂଳକ ରହିଛି। ଆବେଦନକାରୀ ଡାକ୍ତର ଦମ୍ପତି ଯେହେତୁ ପ୍ରସିଦ୍ଧ ଡାକ୍ତର ତେଣୁ ସେମାନଙ୍କ କ୍ଷେତ୍ରରେ ବିଶେଷଜ୍ଞଙ୍କ ଦ୍ୱାରା ଅଭିଯୋଗର ପ୍ରାଥମିକ ତଦନ୍ତ କରାଯିବାର ନିହାତି ଆବଶ୍ୟକତା ଥିଲା। ମାତ୍ର ଭିଜିଲାନ୍ସ ପକ୍ଷରୁ ସଠିକ ଢଙ୍ଗରେ ତଦନ୍ତ କରାଯାଇ ନାହିଁ। ମାମଲା ବିବରଣୀରୁ ଜଣା ପଡ଼ିଛି ଯେ , ଉଭୟ ଡାକ୍ତର ଦମ୍ପତ୍ତି ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା ପ୍ରତିଷ୍ଠାନରେ ଏକ ଫାର୍ମା କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଡାକ୍ତର ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏବଂ ଡାକ୍ତର ସୁରେନ୍ଦ୍ରନାଥ ସେନାପତିଙ୍କୁ ଭିଜିଲାନ୍ସ ଗିରଫ ମଧ୍ୟ କରିଥିଲା। ତେବେ ଡାକ୍ତର ଦାମୀ ମେଡ଼ିସିନ ଲେଖିବା କୌଣସି ଅପରାଧ ନୁହେଁ। କାରଣ ଡାକ୍ତରଙ୍କ କର୍ତ୍ତବ୍ୟ ହେଉଛି ଜଣେ ରୋଗୀଙ୍କୁ ସଠିକ ଚିକିତ୍ସା କରିବା। ସେହିପରି ଜଣେ ଡାକ୍ତର ଚିକିତ୍ସା କରିବା ସମୟରେ କିଏ ଧନୀ ଆଉ କିଏ ଗରିବ ତାକୁ ବିଚାର କରିବା କରିପାରିବ ନାହିଁ। ସମସ୍ତ ରୋଗୀଙ୍କୁ ସବୁଠାରୁ ଭଲ ମେଡିସିନ ଯୋଗାଇଦେବା ରାଜ୍ୟ ସରକାରଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ଅଟେ। ଡାକ୍ତର ମାନେ ଯଦି ଏକ ର୍ନିଦ୍ଦିଷ୍ଟ ଔଷଧ ଲେଖନ୍ତି ଏବଂ ଏହା ଦ୍ୱାରା ଯଦି ଫାର୍ମା କମ୍ପାନୀ ଲାଭବାନ ହେଉଛି ସେଥିପାଇଁ ଡାକ୍ତରଙ୍କୁ ଦାୟୀ କରାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ରେ ସ୍ପଷ୍ଟ କରିଛନ୍ତି। ଏହି କ୍ରମରେ ଡାକ୍ତର ଦମ୍ପତିଙ୍କ ବିରୋଧରେ ରୁଜୁ ଭିଜିଲାନ୍ସ ମାମଲାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।