ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି: ଏଥର ରାଜରାସ୍ତାରେ ଆୟୋଜିତ ହେବ ପରେଡ୍

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଦର ମହକୁମାଠାରେ ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା, ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଅରୁଣ କୁମାର ପାଣ୍ଡେ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଉଦ୍ୟାନ କୃଷି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ବରଗଡ଼ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସାହୁ, ରିଜର୍ଭ ଇନ୍ସପେକ୍ଟର(ପୋଲିସ୍)ଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ଉତ୍ସବ ପାଳନ କମିଟିର ସମସ୍ତ ସଦସ୍ୟ ତଥା ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ, ଶିକ୍ଷକ, ବିଭିନ୍ନ ଅନୁଷ୍ଠାନ, କ୍ଲବ, ନାଗରିକ କମିଟିର ସଦସ୍ୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।
ଏବର୍ଷ ପ୍ରଥମଥର ପାଇଁ ଗାନ୍ଧୀଛକଠାରୁ ବାନ୍ଦୁଟିକ୍ରା ଛକ ପର୍ଯ୍ୟନ୍ତ ରାଜରାସ୍ତାରେ ପରେଡ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିପରି ସମସ୍ତ ବ୍ଳକ ତଥା ପୌର ସଂସ୍ଥା ନିଜ ପ୍ରଜ୍ଞାପନ ମେଢ଼ ସାହାଯ୍ୟରେ ତୃଣମୂଳ ସ୍ତରରେ ବିଭିନ୍ନ ସରକାରୀ ଯୋଜନାର ସଫଳତାକୁ ପ୍ରଦର୍ଶିତ କରିବେ। ପୂର୍ବବର୍ଷ ଭଳି ସମସ୍ତ କାର୍ଯ୍ୟକ୍ରମ ଯଥା-ରାମଧୂନ ପରିବେଷଣ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ରୀଛାତ୍ରମାନଙ୍କୁ ନେଇ ବକ୍ତୃତା, ସାଧାରଣଜ୍ଞାନ, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ, କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ ଏବଂ ସହରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡ଼ିକରେ ମାଲ୍ୟାର୍ପଣ କରାଯିବ। ଏଥି ସହିତ କ୍ରୀଡା, ସାହିତ୍ୟ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଜିଲାକୁ ଗର୍ବିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଉତ୍ସବରେ ସମ୍ମାନିତ କରାଯିବ ।

ଏହି ଅବସରରେ ଜିଲାପାଳ ଗୋୟଲ ଏବଂ ଜିଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୁହା ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ସମାରୋହର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଖୋସଲା ସମସ୍ତ କାର୍ଯ୍ୟକ୍ରମର ବିସ୍ତୃତ ଆଲୋଚନା ପାଇଁ ସବିଶେଷ ତଥ୍ୟ ଉପସ୍ଥାପନ ସହ ସଭା ପରିଚାଳନା କରିଥିଲେ । ସଭା ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲୁହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।