ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସର ୪ଟି ମଙ୍ଗଳବାର ୧୦, ୧୭, ୨୪ ଏବଂ ୩୧ ତାରିଖ ଦିନ ଏହି ପର୍ବ ମହାଆଡମ୍ବରରେ ହେବ। ମା’ଙ୍କ ପୀଠକ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚଳିତ ବର୍ଷ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବିଗତ ବର୍ଷ ତୁଳନାରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ତଥା ମାନସିକଧାରୀଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗୀୟ ଅଧିକାରୀମାନେ ପ୍ରାକ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ ଜ଼ିଲାପାଳ ପରାମର୍ଶ ଦେଇଛନ୍ତି ।
ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ ଅଧିକ ବସ୍ର ବ୍ୟବସ୍ଥା, ଆବଶ୍ୟକ ପାନୀୟ ଜଳ ଯୋଗାଣ, ଅନ୍ନ ପ୍ରସାଦ, ମୁଣ୍ଡନ ସକାଶେ ଉପଯୁକ୍ତ ସ୍ଥାନ ନିରୂପଣ, ସାଜସଜ୍ଜା, ଆଲୋକୀକରଣ, ତୋରଣ ନିର୍ମାଣ, ଦୈନିକ ପୂଜାବିଧି, ଚଣ୍ଡୀ ଯଜ୍ଞ, ଆଇନ ଶୃଙ୍ଖଳା ପରିସ୍ଥିତି, ଦୀପ ଲଗାଇବା ସ୍ଥାନ, ଟ୍ରାଫିକ ନିୟନ୍ତ୍ରଣ, ଭ୍ରାମ୍ୟମାଣ ଶୌଚାଳୟ, ପରିମଳ, ଅଗ୍ନିଶମ ନିର୍ବାପକ, ପ୍ରାଥମିକ ଚିକିତ୍ସା, ଅଂଶୁଘାତ ଚିକିତ୍ସା ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଦାନ, ରାସ୍ତା ମରାମତି, ଅସ୍ଥାୟୀ ସୂଚନା କେନ୍ଦ୍ର, ଭଜନ ସମାରୋହ, ରୋପୱେ ଯାତ୍ରୀ ପରିବହନ ବ୍ୟବସ୍ଥା ଆଦି ସମସ୍ତ ବିଷୟ ବୈଠକରେ ଆଲୋଚନା ହୋଇଥିଲା । ବିଗତ ବର୍ଷ ମାନଙ୍କରେ ଯେଉଁ ସବୁ ଅସୁବିଧା ପରିଲିକ୍ଷିତ ହୋଇଥିଲା ତାହା ଯେପରି ଏ ବର୍ଷ ପୁନରାବୃତ୍ତି ହେବ ନାହିଁ ସେଥିଲାଗି ବିଶେଷ ଯତ୍ନବାନ ହେବା ପାଇଁ ଜିଲାପାଳ କହିଥିଲେ। ଜିଲାର ଜନ ପ୍ରତିନିଧିମାନଙ୍କ ଉପସ୍ଥିତିରେ ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ପରବର୍ତ୍ତୀ ବୈଠକ ହେବ। ଏଥିରେ ପୂର୍ଣ୍ଣାଙ୍ଗ ନିଷ୍ପତ୍ତି ନିଆଯିବ। ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର, ଛତ୍ରପୁର ଉପଜ଼ିଲାପାଳ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ବିଡ଼ିଓ ଶରତ ପତ୍ର , ଟ୍ରଷ୍ଟର ବରିଷ୍ଠ ସଦସ୍ୟ ପ୍ରମୋଦ ପଣ୍ଡା, ବରିଷ୍ଠ ସେବାୟତ ବାପୁଜୀ ରଣା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀ, ସେବାୟତ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ ।