ପରଜଙ୍ଗ, ୧୮।୧୦(ନିଗମାନନ୍ଦ ଦଳବେହେରା): ସ୍ବାଧୀନତାର ୭ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତିଲାଣି, ହେଲେ ଆଜି ବି ଗାଁକୁ ନାହିଁ ସ୍ଥାୟୀ ରାସ୍ତା। ଫଳରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ପ୍ରସୂତିଙ୍କୁ ଖଟିଆରେ ବୋହି ୪ କିଲୋମିଟର ଘଞ୍ଚ ଜଙ୍ଗଲ ରାସ୍ତାରେ ନେବାକୁ ପଡ଼ିଛି। ଦୁର୍ଭାଗ୍ୟଜନକ ସ୍ଥିତି ଏପରି ହୋଇଥିଲା ଯେ, ଡାକ୍ତରଖାନା ନେବା ବାଟରେ ଅଧା ଜଙ୍ଗଲ ମଧ୍ୟରେ ପ୍ରସୂତି ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ତାଙ୍କୁ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମା’ ଓ ନବଜାତ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ପରଜଙ୍ଗ ବ୍ଲକ ପଥରଖମ୍ବ ପଞ୍ଚାୟତ ଅନ୍ତର୍ଗତ କାମର୍ଦା ଗ୍ରାମର ଆଦିବାସୀବହୁଳ କୋହ୍ଲସାହିରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ଅନୁଯାୟୀ, କୋହ୍ଲସାହିର ବାସିନ୍ଦା ଗୁଡୁ ପୂର୍ତ୍ତିଙ୍କ ସ୍ତ୍ରୀ ଶକୁନ୍ତଳା ଗାଗରାଇ (୨୬) ଶନିବାର ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ଜନନୀ ଏକ୍ସପ୍ରେସ୍କୁ ଡାକିଥିଲେ। ମାତ୍ର କାମର୍ଦା ଗ୍ରାମଠାରୁ ତାଙ୍କ ସାହିକୁ ଯିବା ପାଇଁ ରାସ୍ତା ନ ଥିବାରୁ ଜନନୀ ଏକ୍ସପ୍ରେସ ଆଗକୁ ଯାଇପାରି ନ ଥିଲା। ଫଳରେ ଗାଡ଼ିଟି କାମର୍ଦାଠାରେ ଅଟକି ରହିଥିଲା। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଶକୁନ୍ତଳାଙ୍କୁ ଖଟିଆରେ ଜନନୀ ଏକ୍ସପ୍ରେସ ନିକଟକୁ ଆଣିବାରେ ବିଳମ୍ବ ହୋଇଥିଲା। ସେତେବେଳକୁ ଜନନୀ ଏକ୍ସପ୍ରେସ ଫେରିଯାଇଥିଲା। ଫଳରେ ପରିବାର ଲୋକେ ବାଧ୍ୟହୋଇ ଏକ ଅଟୋ ବ୍ୟବସ୍ଥା କରିଥିଲେ। ଏହି ସମୟରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା କାଦୁଅ ରାସ୍ତାରେ ପ୍ରାୟ ୩ରୁ ୪ କିଲୋମିଟର ଖଟିଆରେ ବୋହି ନେଉଥିବାବେଳେ ଅଧାବାଟରେ ଶକୁନ୍ତଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ଉଭୟଙ୍କୁ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।

