healthy pregnancy. Side view pregnant woman with big belly advanced pregnancy in hands. Banner copyspace for text. Elegant mother waiting baby
ନବରଙ୍ଗପୁର,୨୬ା୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏବେ ୩ ମାସର ଗର୍ଭବତୀ। ତାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା କାର୍ଡ। ଜଣେ ଗର୍ଭବତୀ ନାବାଳିକା ଏହି କାର୍ଡ ପାଇବାକୁ ଯୋଗ୍ୟ ନୁହନ୍ତି। ଏହି ଘଟଣା ଜଣାପଡ଼ିବା ପରେ ନାବାଳିକାଙ୍କୁ ଉଦ୍ଧାର କରି ଶୁକ୍ରବାର ଜିଲା ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରାଯାଇଛି। ଥାନାରେ ମାମଲା ରୁଜୁ ସହ ଘଟଣାର ତଦନ୍ତ କରିବାକୁ ଜିଲା ଶିଶୁ କଲ୍ୟାଣ କମିଟି ନିର୍ଦ୍ଦେଶ ଦେଇଛନ୍ତି। ନାବାଳିକାଙ୍କୁ ଉତ୍ତମ ଚିକିତ୍ସା, ରକ୍ଷଣାବେକ୍ଷଣ ପାଇଁ ସଖୀ ୱାନ ଷ୍ଟପ କେନ୍ଦ୍ରର ସ୍ବଳ୍ପ ରହଣି ପାଇଁ ଚିଠି କରି ଦର୍ଶାଇଛନ୍ତି। ନାବାଳିକାଙ୍କୁ କିଭଳି ମାଆ ଓ ଶିଶୁ ସୁରକ୍ଷା କାର୍ଡ ମିଳିଲା ତାହାର ତଦନ୍ତ କରାଯିବ ବୋଲି ଜିଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷା ଅଜନ୍ତା ଶୁଭପ୍ରିୟଦର୍ଶନୀ କହିଛନ୍ତି।
ସୂଚନାନୁଯାୟୀ, ନବରଙ୍ଗପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଆଲାମ ଖାନ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ପୂର୍ବର ଯୁବକ ଜଣକ ନାବାଳିକାଙ୍କୁ ଅପହରଣ କରିଥିବା ନେଇ ନବରଙ୍ଗପୁର ଥାନାରେ ୨୦୨୪ ଫେବୃଆରୀ ୯ରେ କେସ୍ ନମ୍ବର ୬୯/୨୪ରେ ଏକ ମାମଲା ରୁଜୁ ହୋଇଥିଲା। ସେତେବେଳେ ଏ ସମ୍ପର୍କରେ ପୋଲିସ ଶିଶୁ କଲ୍ୟାଣ କମିଟିକୁ ଜଣାଇ ନ ଥିଲା। କୋର୍ଟରେ ନାବାଳିକା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବା ଏବଂ ତାଙ୍କୁ ଅପହରଣ ହୋଇ ନ ଥିବା ନେଇ ବୟାନ ଦେଇଥିଲେ। ପରେ କେସ୍ ବନ୍ଦ ହୋଇଯାଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ିଉଠିଥିଲା। ଏବେ ନାବାଳିକା ଜଣକ ୩ ମାସର ଗର୍ଭବତୀ। ନାବାଳିକାଙ୍କ ନାମରେ ସେଠାକାର ଆଶାକର୍ମୀ ମାଆ ଓ ଶିଶୁ ସୁରକ୍ଷା କାର୍ଡ କରାଇ ଦେଇଥିଲେ। ଏହି ଖବର ଜଣାପଡ଼ିବା ପରେ ଚାଇଲ୍ଡଲାଇନ ସଂଯୋଜକ ଚିନ୍ମୟୀ ନାୟକ ଓ ନମୁଚି ବିଷୋଇ ନାବାଳିକାଙ୍କୁ ଆଣି ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରିଥିଲେ। କମିଟି ଅଧ୍ୟକ୍ଷା ଅଜନ୍ତା ଶୁଭ ପ୍ରିୟଦର୍ଶନୀ, ସଭ୍ୟ ଅନିତା ହୋତା, ବିଜୟଲକ୍ଷ୍ମୀ ସାହୁ, ସନ୍ତୋଷ ଷଡ଼ଙ୍ଗୀ ଓ ରବୀନ୍ଦ୍ର ପଧାନ ନାବାଳିକାଙ୍କ ସହ କଥା ହୋଇ ତାଙ୍କୁ ଥାନାକୁ ପଠାଇଥିଲେ। ଥାନାରେ ପୋକ୍ସୋ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରୀ ଚିକିତ୍ସା ଓ ସ୍ବଳ୍ପ ରହଣି ପାଇଁ ୱାନ ଷ୍ଟପରେ ରହିବାକୁ ଚିଠି ନମ୍ବର ୭୦୭-ସିଡବ୍ଲ୍ୟୁସି-୨୦୨୫ରେ ଦର୍ଶାଇଛନ୍ତି।