ପନିପରିବାରେ ଭବିଷ୍ୟବାଣୀ

ଭବିଷ୍ୟ ଜାଣିବାକୁ ଅନେକଙ୍କର ଇଚ୍ଛା ଥାଏ। ତେଣୁ କିଏ ହାତ ପାପୁଲିର ରେଖା ଦେଖି ଭବିଷ୍ୟ କହୁଥିବା ଲୋକଙ୍କ ନିକଟକୁ ଯାଆନ୍ତି ତ କିଏ ଟେରୋ କାର୍ଡ ରିଡର୍‌ଙ୍କ ସାହାରା ନିଅନ୍ତି। କିନ୍ତୁ ଏମିତି ଜଣେ ମଣିଷ ଅଛନ୍ତି ଯେ କି ପନିପରିବା ସାହାଯ୍ୟରେ ଭବିଷ୍ୟ ଦେଖନ୍ତି। କଥାଟି ହାସ୍ୟାସ୍ପଦ ଲାଗିପାରେ, କିନ୍ତୁ ସେ ପନିପରିବା ସାହାଯ୍ୟରେ ଦେଇଥିବା ଭବିଷ୍ୟବାଣୀ ୭୫% ସତ ପାଲଟିଛି। ଏହି ଅଜବ ଭବିଷ୍ୟବକ୍ତା ଜଣକ ହେଉଛନ୍ତି ୟୁକେର ଜେମିମା ପେକିଂଟନ୍‌। ଖାସ୍‌କରି ସେ ଆସପର୍‌ଗସ୍‌ ବା ଶତାବରୀ ଜାତୀୟ ପରିବା ସାହାଯ୍ୟରେ ଭବିଷ୍ୟ ଦେଖନ୍ତି। ଏଥିପାଇଁ ସେ କିଛି ଆସ୍‌ପରଗସ୍‌୍‌କୁ ଧରି ଉପରକୁ ଫୋପାଡ଼ନ୍ତି। ସେଗୁଡ଼ିକ ଭୂମିରେ ପଡ଼ିଲା ପରେ ଏକ ପାଟର୍ନ ତିଆରି ହୋଇଯାଏ। ସେଇ ପାଟର୍ନକୁ ନେଇ ସେ ଭବିଷ୍ୟବାଣୀ କରନ୍ତି। ତାଙ୍କ ଭବିଷ୍ୟବାଣୀ ଅନୁସାରେ ଚଳିତବର୍ଷ ଇଂଲଣ୍ଡ ୟୁରୋ କପ୍‌ ଜିତିବ। ଏହି ଜିତ୍‌ ପାଇଁ ଟିମ୍‌କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ଓ ଅନେକ ବାଧାବିଘ୍ନ ପରେ ଇଂଲଣ୍ଡର ହେବ ବିଜୟ। ଜେମିମା ସ୍କଟଲାଣ୍ଡ ଭଲ ପ୍ରଦର୍ଶନ କରିବ ବୋଲି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି। ଜେମିମା ଆଜିପର୍ଯ୍ୟନ୍ତ ଅନେକ ଠିକ୍‌ ଭବିଷ୍ୟବାଣୀ କରିଛନ୍ତି। ସେ ୟୁକେ ରାଜପରିବାର ସମ୍ପର୍କରେ ବି ଠିକ୍‌ ଭବିଷ୍ୟବାଣୀ କରିଥିଲେ। ଏଥିରେ ଥିଲା ପ୍ରିନ୍ସ ଫିଲିପ୍‌ଙ୍କ ମୃତ୍ୟୁ, ପ୍ରିନ୍ସ ହ୍ୟାରୀଙ୍କ ପରିବାରରୁ ପୃଥକ୍‌ ହେବା ଆଦି। ଜେମିମା ନିଜେ ବି ଜାଣି ନାହାନ୍ତି ତାଙ୍କର ଏହି ଶକ୍ତି କେଉଁଠୁ ଆସିଲା। ଯେହେତୁ ତାଙ୍କ ମାଉସୀ ବି ଭବିଷ୍ୟ ଦେଖନ୍ତି, ତେଣୁ ଏହି ଗୁଣ ତାଙ୍କଠାରୁ ଆସିଥାଇପାରେ ବୋଲି ସେ କହନ୍ତି।