ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ: ସଜାଗ ରହିବା ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୪: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିଲା । ସ୍ଥାନୀୟ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସମୀକ୍ଷା କରି ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ମୁଖ୍ୟ ଶାସନ ସଚିବ ଆହୁଜା ପରାମର୍ଶ ଦେଇଥିଲେ ।

ବର୍ତ୍ତମାନ ରାଜ୍ୟରେ ବାତ୍ୟା ନେଇ କୌଣସି ସୂଚନା ନଥିବାବେଳେ ଯେକୌଣସି ବିପର୍ଯ୍ୟୟର ସମ୍ମୁଖୀନ କରିବା ପାଇଁ ପ୍ରତି ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ କହିଥିଲେ । ଏତଦବ୍ୟତୀତ ବାତ୍ୟା ସୂଚନା ତଳ ସ୍ତରରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଖୁବ୍‌ଶୀଘ୍ର ପହଞ୍ଚାଇବା ପାଇଁ ଥିବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ଦେଓ ରଞ୍ଜନ କୁମାର ସିଂହ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଓସ୍‌ଡମା ପକ୍ଷରୁ ବାତ୍ୟା ପ୍ରସ୍ତୁତି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା। ପାଣିପାଗର ପୂର୍ବାନୁମାନ ସ୍ଥିତି ସଂପର୍କରେ ଅବଗତ କରି ବାତ୍ୟା କିମ୍ବା ପାଣିପାଗ ସତର୍କ ସୂଚନା ପ୍ରସାରଣ ପାଇଁ ବର୍ତ୍ତମାନର ବ୍ୟବସ୍ଥା, ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ସତର୍କ ସୂଚନା ଜାରି ଏବଂ ଗୋପାଳପୁର ଓ ପାରାଦ୍ୱୀପଠାରେ ଡପଲର୍‌ ୱେଦର ରାଡାର ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇଥିବା ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏଥି ସହ ବାଲେଶ୍ୱର ଓ ସମ୍ବଲପୁରଠାରେ ଡପଲର୍‌ ୱେଦର ରାଡାର ଷ୍ଟେସନ୍‌ ପ୍ରତିଷ୍ଠା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଓସ୍‌ଡମା ପକ୍ଷରୁ କୁହାଯାଇଥିଲା ।

ସେହିଭଳି ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ବିଭାଗର ପ୍ରସ୍ତୁତି ସଂପର୍କରେ ପ୍ରକାଶ କରିବା ସହ ବାତ୍ୟା ସମୟରେ ଟେଲି ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଭାସି ମାଧ୍ୟମରେ ଯୋଗ ଦେଇଥିବା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରାଜେଶ କୁମାର ଓଡ୍ରାଫ୍‌ ବାହିନୀର ବିଭିନ୍ନ ସ୍ଥାନକୁ ମୁତୟନ ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ ।

ସମ୍ଭାବ୍ୟ ବାତ୍ୟା ସମୟରେ ମୋବାଇଲ୍‌ ଟାୱାର ସୁଦୃଢ଼ୀକରଣ ଓ ତ୍ୱରିତ ବିଦ୍ୟୁତ ସଂଯୋଗ ଆଦି ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏତଦ୍‌ବ୍ୟତୀତ ବାତ୍ୟା ଆଶ୍ରୟ ସ୍ଥଳୀ, ସ୍ଥାନୀୟ ବ୍ଲକ୍‌ ପ୍ରଶାସନ, ସରପଞ୍ଚ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗତାରେ କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏତଦ୍‌ବ୍ୟତୀତ ଜଳସମ୍ପଦ, ଖାଦ୍ୟଯୋଗାଣ, ଡ୍ରେନେଜ୍‌ ବ୍ୟବସ୍ଥା, ଡାକ୍ତରୀ ସେବା, ମହିଳା ଓ ଶିଶୁ ବିକାଶ ଆଦି ପ୍ରସ୍ତୁତି ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।