ଭୁବନେଶ୍ୱର,୧୪ା୩: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଲ୍ ଖୋଲି ଦେଇଛନ୍ତି ଏମ୍ପି ପ୍ରତାପ ଷଡ଼ଙ୍ଗୀ(ନନା)। ସେ କହିଛନ୍ତି, ନବୀନ ଘୋଡ଼ା ବେପାରରେ ମାହିର। ଅତୀତରେ ମୋତେ ଘୋଡ଼ା ବେପାର ପାଇଁ ଅଫର ଦେଇଥିଲେ ନିଜେ ନବୀନ। ମୋତେ କିଣିବାକୁ ୩ ଜଣ ବିଧାୟକଙ୍କୁ ମୋ’ ପାଖକୁ ପଠାଇଥିଲେ। ମୁଁ ମନା କରିଥିଲି। ଏବେ ବି ଚାହୁଁଛନ୍ତି। ହେଲେ ପାରୁନାହାନ୍ତି। କାରଣ ଆଉ କ୍ଷମତା ନାହିଁ ବୋଲି କହିଛନ୍ତି ନନା।
ରାଜ୍ୟ ସଭା ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକ ବଡ଼ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଭାଜପା ଘୋଡ଼ା ବେପାର କରୁଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ।
ରାଜ୍ୟ ସଭା ନିର୍ବାଚନ ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବ। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ନିଜ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଚାଲି ଯାଇଛନ୍ତି। ମାତ୍ର ବାକି ୬ ଜଣ ବିଧାୟକ ଓଡ଼ିଶାରେ ଅଛନ୍ତି। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଦାସ, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ ଓଡ଼ିଶାରେ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସର କୌଣସି ନେତାଙ୍କୁ ଧରାଛୁଆଁ ଦେଉନାହାନ୍ତି।