ଦେବାଶିଷଙ୍କ ବୟାନ ଉପରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା, କହିଲେ ବୁଝି ବିଚାରି…

ଭୁବନେଶ୍ୱର,୨୫ା୧୧: ବିଜେଡି ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ଦଳ ବିରୋଧୀ ମନ୍ତବ୍ୟ ପରେ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ପରିବାରରେ ଅସନ୍ତୋଷ ଥାଏ, ବୁଝି ବିଚାରି କାମ କଲେ ଭଲ। ଦଳରେ ଅନେକ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ଥାଏ। ସେଥିରୁ ଗୋଟିଏ ମତକୁ ନେଇ ଦଳ ଆଗକୁ ଯାଏ ବୋଲି ପ୍ରସନ୍ନ କହିଛନ୍ତି।

ଦେବାଶିଷ ମଙ୍ଗଳବାର ବିଜେଡିର ସିନିୟର ସିଟିଜେନ ସେଲ୍‌ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଦେବାଶିଷ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ପୂର୍ବରୁ ଦଳ ଉପରେ ଅସନ୍ତୋଷ ଥିଲେ। ତେବେ ଗୁରୁତ୍ୱ ଦେଉ ନ ଥିବାରୁ ପଦବୀ ଛାଡ଼ିଥିବା ଇସ୍ତଫାପତ୍ରରେ ଦେବାଶିଷ ଉଲ୍ଲେଖ କରିଛନ୍ତି। ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁ ନ ଥିବା ଚିଠିରେ ଦର୍ଶାଇଛନ୍ତି ଦେବାଶିଷ। ଦେବାଶିଷ କହିଛନ୍ତି, ବିଜୁ ଜନତା ଦଳ ଏବେ ବ୍ୟୁରୋକ୍ରାଟିକ୍‌ ଦଳ ହୋଇଯାଇଛି। ବିଜୁ ବାବୁଙ୍କ ଆଦର୍ଶରେ ଆଉ ବିଜେଡି ପରିଚାଳିତ ହେଉନାହିଁ। ଏବେ ଚର୍ଚ୍ଚା ହେଉଛି କି ଦେବାଶିଷ ସାମନ୍ତରାୟ ଖୁବ୍‌ଶୀଘ୍ର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଯେତେବେଳେ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଦଳରୁ ବିଦା କରିଥିଲା ସେତେବେଳେ ଏହାକୁ କଡ଼ା ଭାଷାରେ ନିନ୍ଦା କରିଥିଲେ ଦେବାଶିଷ ସାମନ୍ତରାୟ। ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରି ଦେବାଶିଷ କହିଥିଲେ, ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍‌ କହିଛନ୍ତି। ଟିକେଟ ଦେବାକୁ କହି ଶ୍ରୀମୟୀଙ୍କୁ ଟିକେଟ ଦେଇନି ଦଳ। ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟତା ଅଛି ବୋଲି ଦେବାଶିଷ କହିଥିଲେ।

କେବଳ ଏତିକି ନୁହେଁ ଦେବାଶିଷ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ସସ୍‌ପେଣ୍ଡ କରିବା କଥା ନେଇ ମଧ୍ୟ ମୁହଁ ମଧ୍ୟ ଖୋଲିଥିଲେ। ସେ କହିଥିଲେ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରିବା ଠିକ୍‌ନୁହେଁ। ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି। ପ୍ରଫୁଲଙ୍କୁ ବିଜେଡିରୁ ସସ୍‌ପେଣ୍ଡ୍‌ କରିବା ଭୁଲ ନିଷ୍ପତ୍ତି।

 

Dharitri – Odisha’s No.1 Odia Daily