ଭୁବନେଶ୍ବର,୧୩।୧୨: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ପ୍ରଶ୍ନ ଉଠାଇଛନ୍ତି । ମହାନଦୀ ସଂକଟର ସମାଧାନ କେବେ ହେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ଯେ, ମଦାନଦୀ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, ଆପୋସ ସମାଧାନ ପାଇଁ ସର୍ତ୍ତାବଳୀ କଣ ରହିବ କୁହନ୍ତୁ ।ସରକାର ମହାନଦୀ ଟ୍ରିବ୍ୟୁନାଲରୁ ଓହରି ଯିବେନି ତ ବୋଲି ପ୍ରଶ୍ନ କରିଛନ୍ତି । ଆପୋଷ ସମାଧାନ ପୂର୍ବରୁ ରାଜନୈତିକ ଦଳ ଏବଂ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଂଗଠନ ମାନଙ୍କୁ ବିଶ୍ୱାସକୁ ନେଇ ତାଙ୍କ ସହ ଆଲୋଚନା କରିବେ କି । ମହାନଦୀ ଟ୍ରିବ୍ୟୁନାଲର ଦୈନଦିନ କାର୍ଯ୍ୟ ବସ୍ତୁତ ବନ୍ଦ ରହିଥିବାରୁ ଏହାକୁ ତ୍ବରାନ୍ବିତ କରିବା ପାଇଁ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିବେ କି । ଛତିଶଗଡ଼ ସରକାର ଏବେ ସୁଦ୍ଧା ଚାଲୁ ରଖୁଥିବାମହାନଦୀ ଓ ତାର ଶାଖା ନଦୀ ମାନଙ୍କରେ ନିର୍ମାଣଧିନ ଆନିକଟ୍ କାର୍ଯ୍ୟକୁ ଆପୋଷ ଆଲୋଚନା ପରିପ୍ରେକ୍ଷୀରେ ବନ୍ଦ ରଖିବେ କି ।
ସେ କହିଛନ୍ତି ଯେ, କିଛି ବର୍ଷ ହେଲା ମହାନଦୀକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ଚାଲିଛି । ଦୁଃଖର ସହିତ କହିବାକୁ ପଡ଼ୁଛି, ଷଡ଼ଯନ୍ତ୍ରର ମୁକସାକ୍ଷୀ ଭାରତ ସରକାର । ମହାନଦୀର ହତ୍ୟା ହେବ ମାନେ ଓଡ଼ିଶାର ହତ୍ୟା ହେବ । ଓଡ଼ିଶା ସରକାରଙ୍କ ବିନା ସହମତିରେ ଆନିକଟ ତିଆରି କରୁଛି ଛତିଶଗଡ଼ । ତଦାନ୍ତିତ ରାଜ୍ୟ ସରକାରଙ୍କ ସକଳ ଅନୁରୋଧ ଓ ଆବେଦନ ଛତିଶଗଡ ସରକାର ତ ଶୁଣିଲେ ନାହିଁ, କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟ ନୀରବଦ୍ରଷ୍ଟା ସାଜିଲେ । ପୂର୍ବରୁ କେନ୍ଦ୍ରୀୟ ଜଳ ଆୟୋଗର ହସ୍ତକ୍ଷେପ ଲୋଡ଼ିଥିଲା ବିଜେଡି । ଏବେ କେନ୍ଦ୍ରରେ, ରାଜ୍ୟରେ ଓ ଛତିଶଗଡ଼ରେ ଭାଜପା ସରକାର ଅଛି । ହେଲେ ଓଡ଼ିଶା ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ।