ଦିଗପହଣ୍ଡି,୧୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ଵତୀ ଶିଶୁ ମନ୍ଦିର ୧୦ ମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞାରାଣୀ ପଣ୍ଡାଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବା ସହ ପୁରସ୍କାର ପ୍ରଦାନ କରିଛନ୍ତି। ଟାଟା ବିଲଡିଙ୍ଗ ଇଣ୍ଡିଆ ସଂସ୍ଥା ପକ୍ଷରୁ ‘ ଦି ରୋଲ୍ ଅଫ୍ ୟୁଥ ଜେନେରେସନ ଟୁ ମେକ୍ ସ୍ୱଚ୍ଛ ଭାରତ’ ଶୀର୍ଷକ ଜାତୀୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଜ୍ଞାରାଣୀ ପ୍ରଥମ ରନର୍ଷ ଅପ୍ ହୋଇଥିଲେ। ଗତ ରବିବାର ଅପରାହ୍ନରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପ୍ରଜ୍ଞାରାଣୀ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ପରିବାର ତଥା ଦିଗପହଣ୍ଡି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତା ପାଇଁ ବାପା କାମନା ରଞ୍ଜନ ପଣ୍ଡା, ମା ବନିତା ପାତ୍ର, ଦାଦା ବାବୁଲା ପଣ୍ଡାଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଜେଜେ ବାପା ଶମ୍ଭୁ ପଣ୍ଡାଙ୍କ ଆଶୀର୍ବାଦ ରହିଥିଲା ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଏହିକି ଯେ, ଗତ ୧୦ ମ ଶ୍ରେଣୀ ମାଟ୍ରିକ ପରୀକ୍ଷାରେ ପ୍ରଜ୍ଞାରାଣୀ ୯୩. ୮ ପ୍ରତିଶତ ମାର୍କ ହାସଲ କରି ସମଗ୍ର ଗଞ୍ଜାମ ଜିଲାରେ ଟପ୍ପର ହୋଇଛନ୍ତି ।ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ସାହୁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର ଓ ଷଷ୍ଠୀ ପ୍ରସାଦ ବିଷୋୟୀ ପ୍ରମୁଖ ଛାତ୍ରୀ ପ୍ରଜ୍ଞାରାଣୀଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


