ଭୁବନେଶ୍ୱର,୪।୧୧: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟାର୍ଗେଟ୍ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଟାର୍ଗେଟ୍ କରି କହିଛନ୍ତି, ବିଶ୍ୱାସଘାତକତା କ’ଣ ଏବେ ବୋଧେ ଛାମୁଙ୍କୁ ଲାଗିଲା। ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବାକୁ ନୂଆପଡ଼ାବାସୀ ପ୍ରସ୍ତୁତ ଅଛନ୍ତି। ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାକତା ହୋଇଛି । ଏହାର ଜବାବ ସୁଭଦ୍ରା ଭଉଣୀମାନେ ଉପନିର୍ବାଚନରେ ନିଶ୍ଚୟ ଦେବେ। ନୂଆପଡ଼ାବାସୀ ଭାଜପାଙ୍କୁ ହିଁ ବାଛିବେ, ପଦ୍ମ ଫୁଲରେ ଭୋଟ ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଆସି କୋମନା ବ୍ଲକର ତରବୋଡ଼ ପ୍ରୋଜେକ୍ଟ ସମ୍ଭବ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରଥମେ ସେ ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲା ଗଠନରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ। ନବୀନ କହିଥିଲେ, ଭାଜପା ଭୋଟ ଚୋରି କରି ସରକାର ଗଢ଼ିଥିଲା। ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ନୂଆପଡାବାସୀ ଓ ବିଜୁ ଜନତା ଦଳ ସହ ବେଇମାନି ହୋଇଛି। ଏଥିପାଇଁ ଲୋକଙ୍କ ମନରେ କ୍ରୋଧ ରହିଛି। ଏ ବିଶ୍ୱାସଘାତକତାର ଜବାବ ନୂଆପଡାବାସୀ ଭୋଟରେ ଦେବେ ବୋଲି ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ।
\