ତିହିଡ଼ି,୨୧ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଫତେପୁର ପଞ୍ଚାୟତ ଅଧୀନ ବିଭୂତିପୁର ଗ୍ରାମର ଜଣେ ଯୁବକ ସେହି ଗ୍ରାମର ୨ପରିବାରର ୩ବଖରା ଗୃହକୁ ପେଟ୍ରୋଲ ପକାଇ ଜାଳି ଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ଯୁବକ ଜଣକ ଗୁରୁବାର ରାତିରେ ଏହି କାଣ୍ଡ ଘଟାଇଥିବା ଦର୍ଶାଯାଇଛି। ତେବେ ସେହି ୨ବିପନ୍ନ ପରିବାର ଥାନାରେ ଆଶ୍ରୟ ନେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜଣାଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ବିଭୂତିପୁର ଗ୍ରାମର ରଞ୍ଜନ ରାଉତ ଏବଂ ତାଙ୍କ ଭାଇ ଗୌରାଙ୍ଗ ରାଉତଙ୍କ ପରିବାର ସହ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କର ଜମିଜମାକୁ ନେଇ ଶତ୍ରୁତା ଥିଲା। ଗୁରୁବାର ସରପଞ୍ଚ ଓ ଗ୍ରାମବାସୀଙ୍କ ମାଧ୍ୟମରେ ଏହାର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଅପରପକ୍ଷ ଏହାକୁ ନମାନି ବିଭିନ୍ନ ପ୍ରକାର ଧମକ ଦେଇଥିଲେ। ଗୁରୁବାର ରାତି ୧୨ଟାରେ ଅପରପକ୍ଷେ ରଞ୍ଜନଙ୍କ ଚାଳଛପର ଉପରେ ଚଢ଼ି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଘରେ ଶୋଇଥିବା ରଞ୍ଜନ ଏବଂ ତାଙ୍କ ଭାଇ ଘର ବାହାରକୁ ଆସି ଘଟଣା ସମ୍ପର୍କରେ ଜାଣିବା ସହ ନିଆଁ ଲଗାଇଥିବା ଯୁବକଙ୍କୁ କାବୁ କରିଥିଲେ। ମାତ୍ର ସେହି ଯୁବକ ରଞ୍ଜନଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଅଗ୍ନିକାଣ୍ଡ ଫଳରେ ରଞ୍ଜନ ଏବଂ ତାଙ୍କ ଭାଇଙ୍କର ୩ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଘର ଭିତରେ ଥିବା ସମସ୍ତ ସାମଗ୍ରୀ ସହ ଟଙ୍କା ଓ ଅଳଙ୍କାର ଜଳି ଯାଇଥିବା ଦର୍ଶାଯାଇଛି। ତେବେ ବାସ ହରାଇଥିବା ୨ଭାଇ ଥାନାରେ ଆଶ୍ରୟ ନେଇଥିବା ଜଣାଯାଇଛି।


