କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଦମନ କରିବ ପୋଶ ଆଇନ

ଭୁବନେଶ୍ୱର,୧୩ା୨(ସୂର୍ଯ୍ୟକାନ୍ତ ବେହେରା): ସମାଜରେ ମହିଳାମାନଙ୍କ ଭୂମିକା ଓ କର୍ତ୍ତବ୍ୟରେ ବହୁ ପରିବର୍ତ୍ତନ ଆସିଛି। ଆଜିର କର୍ମଜୀବୀ ମହିଳା ନିଜ ଘର ଓ କାର୍ଯ୍ୟକୁ ଅତି ନିଖୁଣ ଭାବରେ ପରିଚାଳନା କରିପାରୁଛନ୍ତି। ଏହି ପରିପ୍ରେକ୍ଷିରେ ସେମାନଙ୍କୁ ଏକ ସୁରକ୍ଷିତ ଓ ସମ୍ମାନଜନକ କାର୍ଯ୍ୟକ୍ଷେତ୍ର ପ୍ରଦାନ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ ହେବା ଉଚିତ ବୋଲି ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା କେ.ରାହତକର କହିଛନ୍ତି। ବୁଧବାର ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରରେ ମହିଳା ଓ ଶିଶୁ ବିକାଶ ଏବଂ ଜାତୀୟ ମହିଳା ଆୟୋଗର ସହଭାଗିତାରେ ରାଜ୍ୟରେ କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ନିରୋଧ ଆଇନ(ପୋଶ)ର କାର୍ଯ୍ୟକାରିତା ସମ୍ବନ୍ଧୀୟ ସମୀକ୍ଷା ବୈଠକରେ ଯୋଗଦେଇ ରାହତକର ଆହୁରି କହିଛନ୍ତି, କାର୍ଯ୍ୟକ୍ଷେତ୍ରରେ ପୋଶ ଆଇନର ଠିକ କାର୍ଯ୍ୟକାରିତା ଓ ଏହି ଆଇନ ସମ୍ବନ୍ଧରେ ଦୃଢ ଜନସଚେତନତା ସୃଷ୍ଟି କରିପାରିଲେ ହିଁ ଆମେ କାର୍ଯ୍ୟକ୍ଷେତ୍ରରେ ଘଟୁଥିବା ଯୌନ ଉତ୍ପୀଡ଼ନକୁ ଦମନ କରିପାରିବା। ଏହାସହ ରାଜ୍ୟର ପ୍ରତ୍ୟକ କାର୍ଯ୍ୟକ୍ଷେତ୍ରରେ ଅନ୍ତଃ ସମିତି ଓ ପ୍ରତ୍ୟେକ ଜିଲାରେ ଆଞ୍ଚଳିକ ସମିତିର ଗଠନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେହିଭଳି ସମିତିର ସଦସ୍ୟାମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ପ୍ରତି ଜିଲାର ସର୍ବସାଧାରଣ ସ୍ଥାନରେ ଏହି ଆଇନ ସମ୍ପର୍କରେ ବିଜ୍ଞାପନ ଓ ହୋର୍ଡିଂ ଜରିଆରେ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରାଯିବାର ଆବଶ୍ୟକ ରହିଛି। ଏହି ଆଇନ ଅନ୍ୟାୟ ବିରୁଦ୍ଧ, ପୁରୁଷ ବିରୁଦ୍ଧ ନୁହେଁ ଏବଂ ଏହି ଆଇନ ହିସାବରେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ରାହତକର ଦୃଢ ମତ ରଖିଥିଲେ। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା, ପୋଲିସ ଆଇଜି ଏସ.ସାଇନିଙ୍କ ସହ ବିଭାଗୀୟ ନିର୍ଦ୍ଦେଶକ ସୁଶ୍ରୀ ମୋନିଷା ବାନାର୍ଜୀ ଓ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ ରାଜ୍ୟସରକାରଙ୍କ ସମସ୍ତ ବିଭାଗର ନୋଡାଲ ଅଧିକାରୀମାନେ ଯୋଗ ଦେଇଥିଲେ।

Share