ଏଲ୍‌ଏନ୍‌ଜି ବ୍ୟବହାର ବଢ଼ିଲେ ପ୍ରଦୂଷଣ କମିବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୧୧(ପି.ଆଇ.ବି.): ରାଷ୍ଟ୍ରାୟତ୍ତ ପ୍ରାକୃତିକ ଗ୍ୟାସ୍‌ ବିତରଣ କମ୍ପାନୀ ଗେଲ୍‌ ଏବଂ ଭାରତୀୟ ଅଟୋମୋବାଇଲ ନିର୍ମାଣକାରୀ ସଂଘ ସିଆମ୍‌ ପକ୍ଷରୁ ଶୁକ୍ରବାର ଆୟୋଜିତ ‘ପରିବହନ ଇନ୍ଧନ ଭାବେ ଏଲ୍‌ଏନ୍‌ଜି (ଲିକ୍ୟୁଫାଏଡ୍‌ ନାଚ୍ୟୁରାଲ ଗ୍ୟାସ୍‌)’ ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଯେ, ଦେଶରେ ଏଲ୍‌ଏନ୍‌ଜି ବ୍ୟବହାର ବଢ଼ିଲେ ଯାନବାହନ ପ୍ରଦୂଷଣ ହ୍ରାସ କରିହେବ। ପରିବହନ କ୍ଷେତ୍ରରେ ଏଲ୍‌ଏନ୍‌ଜି ଭଳି ସ୍ବଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦିଆଗଲେ ଦେଶର ସର୍ବତ୍ର ସ୍ଥାନରେ ଲାଭ ମିଳିପାରିବ। ଏଲ୍‌ଏନ୍‌ଜିର ଆମଦାନୀକୁ କମାଯାଇପାରିବ ଏବଂ ଊର୍ଜା ମିଶ୍ରଣରେ ଗ୍ୟାସ୍‌ ଭାଗକୁ ବଢ଼ାଯାଇପାରିବ। ଭାରତରେ ଏଲ୍‌ଏନ୍‌ଜି ବଜାରର ସମ୍ପ୍ରସାରଣ କରାଗଲେ ଦେଶର ଗ୍ୟାସ୍‌ ମୂଲ୍ୟ ଶୃଙ୍ଖଳାରେ ଜାହାଜ ମାଲିକ, ଗାଡ଼ି ନିର୍ମାଣ କରୁଥିବା ସଂସ୍ଥା ଓ ଅଂଶୀଦାରମାନେ ଲାଭବାନ ହେବେ। ଭାରତ ସରକାର ପ୍ରାକୃତିକ ଗ୍ୟାସ୍‌କୁ ପ୍ରୋତ୍ସାହନ ଦେବା ନେଇ କାମ କରୁଛନ୍ତି ।
୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସ୍‌ର ଶେୟାରକୁ ବର୍ତ୍ତମାନର ୬.୩%ରୁ ୧୫ ପ୍ରତିଶତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।