ରାୟଗଡ଼ା,୧୦।୯(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ବିଜେ ସଭାପତି ଘୋଷଣା ପରେ ରାଜ୍ୟସଭା ପୂର୍ବତନ ଏମ୍ପି ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଦଳର ବରିଷ୍ଠ ନେତା ବାନାଗା ତିରୁପତି ଓ ଅନ୍ୟମାନେ ଦଳ ଛାଡ଼ିଛନ୍ତି । ତେବେ ଏହାକୁ ନେଇ ବୁଧବାର ଜିଲା ବିଜେ ସଭାପତି ଜଗନ୍ନାଥ ସାରକା ଓ ଅନ୍ୟ ନେତାମାନେ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀ କରି କାଉଣ୍ଟର କରି ଦଳ ଉପରେ କୌଣସି ପ୍ରଭାବ ନପଡ଼ିବା ନେଇ ମନ୍ତବ୍ୟ ରଖିଛନ୍ତି । ତେବେ ଭାସ୍କରଙ୍କ ରାଜନୀତିକୁ ନେଇ କରିଥିବା କଟାକ୍ଷର ପ୍ରତ୍ୟୁତର ଦେଇଛନ୍ତି ତିରୁପତି ।
ତିରୁପତି କହିଛନ୍ତି ଯେ, ଜିଲାରେ ଲାଗି ରହିଥିବା ବିବାଦକୁ ନେଇ ଜିଲା ସଭାପତି ଘୋଷଣା ସ୍ଥଗିତ ରହିଥିଲା । ହେଲେ ପରବର୍ତ୍ତି ସମୟରେ ବିଜେଡ଼ି ରାଜ୍ୟ ସଭାପତି ଜଣେ ବରିଷ୍ଠ ନେତ୍ରୀ ପ୍ରମିଳା ମଲିକ ଓ ନେତା ପଦ୍ମନାଭ ବେହେରାଙ୍କୁ ତୃଣମୂଳସ୍ତରରେ କର୍ମୀ ଓ ନେତାଙ୍କ ସହିତ ଏନେଇ ଏକ ଆଲୋଚନା କରି ମତାମତ ସଂଗ୍ରହ କରି ରିପୋର୍ଟ ଦେବାକୁ ରାୟଗଡ଼ା ଜିଲା ଗସ୍ତରେ ପଠାଇଥିଲେ । ଉକ୍ତ ଗସ୍ତ ସମୟରେ ପ୍ରମିଳା ଓ ପଦ୍ମନାଭ ତିନୋଟି ଯାକ ନିର୍ବାଚନମଣ୍ଡଳୀ ରାୟଗଡ଼ା, ଗୁଣପୁର ଓ ବିଷମକଟକରେ ପୃଥକ ପୃଥକ ବୈଠକ କରି ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଯେଉଁଥିରେ କି ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଜଣେ ନିରପେକ୍ଷ ଓ ବରିଷ୍ଠ ନେତା ହୋଇଥିବା କାରଣରୁ ତାଙ୍କୁ ଜିଲା ସଭାପତି ଦାୟିତ୍ୱ ଦେବା ପାଇଁ ଦାବି ହୋଇଥିଲା । ଉକ୍ତ ମତାମତ ସଂଗ୍ରହ କରି ବରିଷ୍ଠ ନେତ୍ରୀ ତଥା ପର୍ଯ୍ୟବେକ୍ଷକ ପ୍ରମିଳା ମଲିକ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ମଧ୍ୟ ଜିଲା ସଭାପତି ଚୟନରେ କାହିଁକି ପକ୍ଷପାତ କରାଯାଇଛି ବୋଲି କହିଛନ୍ତି ତିରୁପତି । ସେହିଭଳି ୧୯୯୭ ମସିହାରେ ଭାସ୍କର ରାଓ ରାୟଗଡ଼ା ଛାଡ଼ି ଯଦି ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲେ ସେ ସମୟରେ ତାଙ୍କ ସ୍ବାାସ୍ଥ୍ୟବସ୍ଥା ଖରାପ ଥିବା କହିଛନ୍ତି ତିରୁପତି । ଏତଦବ୍ୟତିତ ଯଦି ସୁଧୀର ଦାସ ଜନତା ଦଳ ଓ ବିଜେଡ଼ିର ଜଣେ ଟାଣୁଆ ନେତା ଥିଲେ , ତେବେ ଉକ୍ତ ସମୟରେ ବିଷମକଟକ ବ୍ଲକରେ କଂଗ୍ରେସ କିଭଳି ବାଜିମାତ କରିଥିଲା ଏବଂ କୋଲନରା ବ୍ଲକରେ ତିରୁପତି କିଭଳି ଭଲ ପ୍ରଦର୍ଶନ କରିପାରିଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଭାସ୍କର ରାଓ ବିଜୁ ପଟ୍ଟନାୟକଙ୍କ ସହ ରାଜନୀତିରେ ଜଡ଼ିତ ହୋଇ ଅଣକଂଗ୍ରେସ ଗଡ଼ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ହାତମୁଠାକୁ ଟାଣ କରି କୋରାପୁଟ ଏମ୍ପି ସମେତ ଜିଲାର ତିନୋଟି ନିର୍ବାଚନମଣ୍ଡଳୀରେ ଦଳକୁ ମଜଭୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି କହିଛନ୍ତି ତିରୁପତି । ତିରୁପତି ଆହୁରି କହିଛନ୍ତି ଯେ, ଭାସ୍କର ଓ ଅନ୍ୟମାନେ ଦଳ ଛାଡ଼ି ବର୍ତ୍ତମାନ ସମାଜ ସେବା ପାଇଁ ଆରମ୍ଭ କରିଛନ୍ତି। ବିଜୁ ସୱାଭିମାନ ମଞ୍ଚକୁ ନେଇ ସୁଧୀର ଦାସ ଓ ଜିଲା ସଭାପତି ଏତେ ଭୟଭୀତ କାହିଁକି । ବର୍ତ୍ତମାନ ସେମାନେ ବିଜେଡ଼ି ସଂଗଠନର ଜିଲା ଦାୟିତ୍ୱରେ ରହିଛନ୍ତି ଏବଂ ଆଗାମୀ ପଂଚାୟତ ନିର୍ବାଚନରେ ଜନସାଧାରଣ କିଭଳି ପ୍ରତ୍ୟାଖାନ କରିବେ ତାହା ସମୟ କହିବ ବୋଲି କହିଛନ୍ତି ତିରୁପତି ।